ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ଥିବା ୨୬୪ କୋଟି ବନିମୟରେ ନିର୍ମିତ ସତ୍ତରଘାଟ ମହାସେତୁ ଗତକାଲି ବୁଧବାର ଦିନ ଭୁଶୁଡ଼ି ପଡ଼ିଛି । ଜୁନ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାକୁ ଉଦଘାଟନ କରିଥିଲେ । ମାତ୍ର ୨୯ ଟା ଦିନରେ କିନ୍ତୁ ଲଗାଣ ବର୍ଷା ଓ ସାମାନ୍ୟ ବନ୍ୟା ଭଳି ପରିସ୍ଥିତିର ସାମ୍ନା କରି ନପାରି ସେତୁଟି ନିଜର ସତ୍ତା ହରାଇଛି ।
ଏପରି ଅକସ୍ମାତ ମହାସେତୁଟି ଭୁଶୁଡ଼ି ଯିବା ପରେ କିନ୍ତୁ ଚମ୍ପାରଣ ତିରହୁତ ଏବଂ ଅନେକ ଜିଲ୍ଲା ଭିତରେ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି । କିନ୍ତୁ ମାସେ ନପୂରୁଣୁ ଏ ଘଟଣା ଘଟିବା ନେଇ ବିହାର ସରକାର ଉପରେ ଜନତା ଖପା ଓ ମାଗୁଛନ୍ତି ଜବାବ । ଅନ୍ୟପକ୍ଷରେ ବଲିଉଡ୍ ଅଭିନେତ୍ରୀ ରୁଚା ଚଡ୍ଡା ମଧ୍ୟ ଏନେଇ ଟ୍ୱିଟ୍ କରିଛନ୍ତି ଓ ଅନେକ ପ୍ରତିକ୍ରିୟା ମଧ୍ୟ ପାଉଛନ୍ତି ତାଙ୍କ ପୋଷ୍ଟରେ ।
ଯେତେବେଳେ ମହାସେତୁ ଭୁଶୁଡ଼ି ପଡ଼ିଛି ସେ ବି ମାତ୍ର ଲଗାଣ ବର୍ଷାରେ ସେ ସମୟରେ ରାଜ୍ୟ ସଡ଼କ ନିର୍ମାଣ ମନ୍ତ୍ରୀ ନନ୍ଦ କିଶୋର ଯାଦବ ଦେଇଛନ୍ତି ନିଜର ବେପରୁଆ ପ୍ରତିକ୍ରିୟା । ସେ କହିଛନ୍ତି ଯେ ସତ୍ତର ଘାଟର ସେତୁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ଡ୍ୟାମ୍ ଭିତରେ ଏକ ସେତୁ ଅଛି ଯାହାର କେବଳ ଆପ୍ରୋଚ ସଡ଼କଟି ଭୁଶୁଡ଼ି ପଡ଼ିଛି । ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ । ତାଛଡ଼ା ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ରାସ୍ତା ଭାସିଯାଏ, ସେତୁ ଭାଙ୍ଗିଯାଏ । ଏହାକୁ ପଢି ସାଧାରଣ ଜନତାଙ୍କ ଭିତରେ ଆକ୍ରୋଶ ଆହୁରି ବଢ଼ିଯାଇଛି ।
ରାଜ୍ୟ ସଡ଼କ ନିର୍ମାଣ ମନ୍ତ୍ରୀ ଯାଦବଙ୍କ କହିବାନୁସାରେ ସତ୍ତରଘାଟ ମହାସେତୁରେ ୩ ଟି ଛୋଟ ଛୋଟ ସେତୁ ରହିଛି । ସତ୍ତରଘାଟ ସେତୁରୁ ୨ କି.ମି ଦୂରରେ ଥିବା ଛୋଟ ସେତୁର କେବଳ ଆପ୍ରୋଚ ରୋଡ୍ ପାଣିର ପ୍ରବାହରେ ଭୁଶୁଡ଼ି ପଡ଼ିଛି । ସମ୍ପୂର୍ଣ୍ଣ ମହାସେତୁର କୌଣସି କ୍ଷତି ହୋଇନାହିଁ । ଜଳ ପ୍ରବାହ ବଢ଼ିଲେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । ଏ ଲଗାଣ ବର୍ଷା ଯୋଗୁ ହେଉଥିବା ଜଳ ପ୍ରବାହ ଥରେ କମିଗଲେ ଉକ୍ତ ସେତୁକୁ ମରାମତି କରାଯିବ ।