କରୋନା ମୁକାବିଲା ପାଇଁ ମୋଦିଙ୍କ ଜନତା କର୍ଫ୍ୟୁର ଘୋଷଣା ଉପରେ ରେଳବିଭାଗ ନେଇଛି ଗୋଟେ ବଡ଼ ନିଷ୍ପତ୍ତି । ଆଜି ରାତି ୧୨ଟାରୁ ଆସନ୍ତା କାଲି ୧୦ ଭିତରେ ଆରମ୍ଭ ହେବାକୁ ଥିବା ସମସ୍ତ ରେଳଗୁଡ଼ିକୁ ବାତିଲ କରିଦିଆଯାଇଛି ।
ଏହି ରେଳ ରଦ୍ଦ ନିୟମ ମୁମ୍ବାଇ ଉପରେ ନିହାତି ଅଧିକ ପ୍ରଭାବ ପକାଇବ ବୋଲି କୁହନ୍ତି ମୁମ୍ବାଇରୁ ସାମ୍ବାଦିକ ଅଜୟ ଦୁବେ । ନାନା ରୁଟରେ ଚାଲିଥିବା ସବୁଯାକ ରେଳକୁ ବନ୍ଦ କରିବାର ପ୍ରସ୍ତୁତିରେ ରେଳବିଭାଗ । ସାଧାରଣତଃ ବେଶୀ ଉତ୍ତର ଭାରତ ଓ ବିହାର ଯାଉଥିବା ରେଳ ମୁମ୍ବାଇର କୁର୍ଲା, ଦାଦର ଷ୍ଟେସନ ଦେଇ ଯିବାଆସିବା କରନ୍ତି ।
ଗତକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯେତେବେଳେ ସାମ୍ବାଦିକ ସମ୍ମିଳନୀ ଡକେଇ ଏନେଇ ଘୋଷଣା କଲେ ପରେ ପରେ ଉକ୍ତ ଷ୍ଟେସନଗୁଡ଼ିକରେ ଅନେକ ସଂଖ୍ୟାର ଭିଡ଼ ଦେଖାଦେଇଥିଲା । ଆଗାମୀ ୧୦/୧୨ ଦିନ ଯେମିତି ସହର ଓ ଯାବତୀୟ ବ୍ୟବସାୟିକ ସଂସ୍ଥାନଗୁଡ଼ିକ ବନ୍ଦ ରହିବାର ସୂଚନା ମିଳୁଛି, ପ୍ରାୟ ଲୋକ ନିଜ ନିଜ ଘରକୁ ଯିବାକୁ ଏଠି ତେଣୁ ଭିଡ଼ ଜମଉଛନ୍ତି । ରେଳବିଭାଗ ପାଇଁ ସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି ବୋଲି କୁହନ୍ତି ସାମ୍ବାଦିକ ଦୁବେ ।
ଏହାସହିତ ସାମ୍ବାଦିକ ଅଜୟଙ୍କ କହିବା କଥା ଯେ ଲୋକାଲ୍ ଟ୍ରେନ୍ ମୁମ୍ବାଇବାସୀଙ୍କ ପରିଚୟ । ଅନ୍ଧେରି ଷ୍ଟେସନରେ ପାଦ ରଖିବାକୁ ଜାଗା ମିଳେନି ଅନ୍ୟଦିନ ଗୁଡ଼ିକରେ ହେଲେ ଆଜି ଏକଦମ୍ ଶୁନଶାନ୍ ଦିଶୁଛି ମୁଁ ଠିଆ ହୋଇଥିବା ଏହି ଅନ୍ଧେରି ଷ୍ଟେସନ ।
ସେହିପରି ଦିଲ୍ଲୀରୁ ସମ୍ବାଦିକା ନିବେଦିତା ସାଣ୍ଡିଲ୍ୟଙ୍କ କହିବାନୁଯାୟୀ, ରେଳବିଭାଗର ଏ ଘୋଷଣା ନିହାତି ପ୍ରଭାବପୂର୍ଣ୍ଣ । ସେମିତିରେ ବି ଦିଲ୍ଲୀ ରେଳଷ୍ଟେସନ କିଛି ଦିନ ପୂର୍ବରୁ ହିଁ ଖାଲି ରହୁଥିଲା । ଆଜି ବି ଷ୍ଟେସନ ଖାଲି । ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ଦିଲ୍ଲୀ ଲୋକେ ଗୁରୁତ୍ୱପୂର୍ଣ୍ଣ ହିସାବରେ ଗ୍ରହଣ କରିଛନ୍ତି । ଯେଉଁ କେତେଟା ହାତଗଣତି ଲୋକ ଦିଶୁଛନ୍ତି ସେମାନେ ସମସ୍ତେ ମାସ୍କ ଲଗେଇଛନ୍ତି ଓ କେହି କାହା ସହ କଥା ନହୋଇ ଦୂରତା ବଜାୟ ରଖୁଛନ୍ତି । ଏହା ହିଁ ପ୍ରମାଣ କରୁଛି ଯେ ଲୋକେ ସଜାଗ ଅଛନ୍ତି ।
ଆସନ୍ତା କାଲି ୨୨ ତାରିଖ ରବିବାର ଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ “ଜନତା କର୍ଫ୍ୟୁ” । କରୋନାକୁ ମୁକାବିଲା କରିବା ପାଇଁ ଏହି କର୍ଫ୍ୟୁର ଘୋଷଣା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ୭ଟାରୁ ରାତି ୯ଟା ଯାଏଁ ଲୋକମାନଙ୍କୁ ଘରେ ରହିବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାସହିତ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କର୍ଫ୍ୟୁ ବିଷୟରେ ଜଣେଇବା ପାଇଁ ପ୍ରତିଦିନ ଅତିକମରେ ୧୦ ଜଣଙ୍କୁ ଫୋନ୍ କରି କର ଓ କରୋନାଭାଇରସକୁ ରୋକିବା ପାଇଁ ପଦକ୍ଷେପରେ ସାମିଲ ହୁଅ ବୋଲି ସେ ନିଜ ବକ୍ତବ୍ୟରେ କହିଛନ୍ତି ।
ଗତ ଦୁଇ ମାସ ହେଲା ୧୩୦ କୋଟି ଭାରତୀୟ ସମେତ ସାରା ବିଶ୍ଵବାସୀ ସାହସର ସହିତ କରୋନାଭାଇରସ ମହାମାରୀର ସାମ୍ନା କରୁଛନ୍ତି । ସମସ୍ତ ନାଗରିକ ସତର୍କତା ଅବଲମ୍ବନ କରିବାକୁ ଚେଷ୍ଟା କରୁଛନ୍ତି । ଦେଶବାସୀ ଏହାକୁ ନେଇ ସଜାଗ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗୁରୁବାର ଦିନ ଦେଶକୁ ସମ୍ବୋଧିତ କରି ଘର ଭିତରେ ରହିବାକୁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି । ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଘର ଭିତରେ ରହିବାକୁ ସେ କଠୋର ପରାମର୍ଶ ଦେଇଛନ୍ତି ।