ଅନିଲ ଅମ୍ବାନୀଙ୍କ ବିରୋଧରେ ଚାଲିବ ଦେବାଳିଆ ମାମଲା : ଜାଣନ୍ତୁ ଏହା ପଛର କାରଣ

ଅନିଲ ଧିରୁଭାଇ ଅମ୍ବାନୀଙ୍କ ବିରୋଧରେ ଦେବାଳିଆ ଘୋଷଣା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ମାମଲାକୁ ଆଗକୁ ବଢ଼ାଇବାକୁ ଜାତୀୟ କମ୍ପାନୀ ଆଇନ ପ୍ରାଧିକରଣ (NCLT) ଅନୁମତି ଦେଇସାରିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ(SBI) ରୁ ଅନିଲ ଅମ୍ବାନୀ ୧୨୦୦ କୋଟି ଟଙ୍କାର ଋଣ ନେଇଥିଲେ ଏବଂ ନଫେରାଇବାରୁ ତାଙ୍କ ବିରୋଧରେ NCLT ଏଭଳି ନିର୍ଦ୍ଦେଶ ଜାରି କରିଛି ।

ତେବେ ସୂଚନା ଅନୁଯାୟୀ ୨୦୧୬ ମସିହାରେ SBI ଅନିଲଙ୍କ ନେତୃତ୍ୱରେ ଥିବା ରିଲିଆନ୍ସ କମ୍ୟୁନିକେଶନ ଓ ରିଲିଆନ୍ସ ଇନ୍ଫ୍ରାଟେଲକୁ ଋଣ ଦେଇଥିଲା । ଏହି ଋଣ ନେଲାବେଳେ ଅନୀଲ ୧୨୦୦ କୋଟି ଟଙ୍କାର ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ । ମାତ୍ର ଏହି ଦୁଇ କମ୍ପାନୀ ବର୍ତ୍ତମାନ ବନ୍ଦ ହୋଇଯାଇଛି ଯେଉଁ କାରଣରୁ SBI ର ମୁମ୍ୱାଇ ଶାଖା NCLT ଦେବାଳିଆ ଆଇନ ଅନୁସାରେ ତାଙ୍କଠାରୁ ଋଣ ଅସୁଲ କରିବାକୁ ଆବେଦନ କରିଥିଲା ।

ନିୟମ ଅନୁସାରେ ରିଲିଆନ୍ସ କମ୍ୟୁନିକେଶନ ଓ ରିଲିଆନ୍ସ ଇନ୍ଫ୍ରାଟେଲ ଜାନୁଆରୀ ୨୦୧୭ ସୁଦ୍ଧା ନେଇଥିବା ଋଣ ପରିଶୋଧ କରିବା କଥା ଯାହା ସେ କରିନାହାନ୍ତି । ରିପୋର୍ଟ ଅନୁଯାୟୀ ଅଗଷ୍ଟ ୨୬ ତାରିଖ, ୨୦୧୬ ମସିହାରୁ ଏହି ଦୁଇ କମ୍ପାନୀର ଆକାଉଣ୍ଟକୁ ନନ୍ ପରଫରମିଙ୍ଗ ଆସେଟ ବୋଲି ଘୋଷଣା କରି ଦିଆଯାଇଥିଲା । ତେବେ ୨୦୧୯ ଆରମ୍ଭ ବେଳକୁ ରିଲାଏନ୍ସ କମ୍ୟୁନିକେଶନ ନିଜ ତରଫରୁ ଦେବାଳିଆ ହେବାକୁ ଆବେଦନ କରିଥିଲା ।

ସୂଚନାଯୋଗ୍ୟ ଯେ ୨୦୧୯ ମସିହା ପ୍ରାରମ୍ଭରେ କମ୍ପାନୀ କହିଥିଲା ଯେ ରିଲାଏନ୍ସ କମ୍ୟୁନିକେଶନ ଉପରେ ୩୩୦୦୦ କୋଟି ଟଙ୍କାର ଋଣ ରହିଛି ଯେତେବେଳେ କି ରିଲାଏନ୍ସ କମ୍ୟୁନିକେଶନ ଉପରେ ୨୦୧୯ ଅଗଷ୍ଟ ମାସ ସୁଦ୍ଧା ୪୯୦୦୦ କୋଟି ଟଙ୍କାର ବକେୟା ଅର୍ଥ ରହିଛି ବୋଲି ଅନ୍ୟାନ୍ୟ ବିଭିନ୍ନ ବ୍ୟାଙ୍କ ତରଫରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *