କରୋନା ମହାମାରୀ କେବଳ ସ୍ୱାସ୍ଥ୍ୟ ସଙ୍କଟ ନେଇ ଆସିନି, ଦେଶର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଲାବେଳେ ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇପଡିଛନ୍ତି । ଦୈନନ୍ଦିନ ଜୀବନ ପ୍ରବାହ ସତେ ଯେମିତି ଠପ୍ ହୋଇଯାଇଛି । ଯଦିଓ ଅନଲକ ଆରମ୍ଭ ହେଲାପରେ କଟକଣା ସହିତ ଲୋକେ ସ୍ଵାଭାବିକ ସ୍ଥିତିକୁ ଫେରିଛନ୍ତି ମାତ୍ର ପ୍ରତି ମୂହୁର୍ତ୍ତରେ କରୋନା ସଂକ୍ରମିତ ହେବାର ଡର ମାନସିକ ସ୍ଥିତି ବିଗାଡୁଛି ।
ଭାରତର ସ୍ଥିତି ଏବେ ସଙ୍ଗୀନ ହେବାରେ ଲାଗିଛି । ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ଲକ୍ଷକୁ ଅତିକ୍ରମ କଲାବେଳେ ଏହି ଭୟଙ୍କର ଭୂତାଣୁ ପାଇଁ ଦୁଶ୍ଚିନ୍ତା ବଢିବାରେ ଲାଗିଛି । ଅପ୍ରେଲ-ମଇ ମାସରେ କରାଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ ପ୍ରତି ୨ ଜଣରେ ଜଣେ କରୋନା ହେବା ନେଇ ଚିନ୍ତାରେ । ଏମିତିକି ପ୍ରତି ୪ ଜଣରେ ଜଣଙ୍କୁ ଡାକ୍ତରୀ ପରାମର୍ଶ କରିବାକୁ ପଡୁଛି । କରୋନା ମନ ଭିତରେ ଏମିତି ଚାପ ବଢାଉଛି ଯେ ସାଧାରଣ ଲୋକ ମାନସିକ ଚାପଗ୍ରସ୍ତ ହୋଇଯାଉଛି ।
ସୂଚନା ଅନୁଯାୟୀ ୧,୦୬୯ ଜଣଙ୍କୁ ନେଇ କରାଯାଇଥିବା ଏକ ସର୍ଭେରେ ଦିଲ୍ଲୀ , ଉତ୍ତରପ୍ରଦେଶ, ହରିୟାଣା ଏବଂ ମହାରାଷ୍ଟ୍ରର ଅଧିକାଂଶ ଲୋକ ଭାଗ ନେଇଥିଲେ । ବିଶେଷଜ୍ଞଙ୍କ ମତ ହେଉଛି ଯେ ସର୍ଭେରେ ଭାଗ ନେଇଥିବା ୫୫ ପ୍ରତିଶତ ଲୋକଙ୍କ ଭିତରେ କରୋନାକୁ ନେଇ ଭୟ ଥିଲା । ଚାରି ଭାଗରୁ ୧ ଭାଗ ଲୋକଙ୍କ ଭିତରେ ଭୂତାଣୁକୁ ନେଇ ମାନସିକ ଅବସାଦ ଥିଲା । କିଛି ଆକ୍ରାନ୍ତ ତ ଏତେ ଚାପଗ୍ରସ୍ତ ଥିଲେ ଯେ ସେମାନେ ନିଜକୁ କ୍ଷତି ପହଞ୍ଚାଇବାକୁ ବି ଉଦ୍ୟମ କରିଥିଲେ ।