ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସବୁ ପ୍ରକାର ପ୍ରତିବନ୍ଧକ ଲଗାଉଛନ୍ତି । ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନବନ୍ଦରରେ ହିଁ ଯାଞ୍ଚ କରାଯାଉଛି । କିନ୍ତୁ ଗୁରୁବାର ଦିନ ବାଂଲାଦେଶରୁ ଆସିଥିବା କେତେକ ଛାତ୍ର ଶ୍ରୀନଗରଠାରେ କରୋନା ପରୀକ୍ଷା କରେଇବାକୁ ମନା କରି ଦେଇଛନ୍ତି । ଛାତ୍ରମାନେ କେବଳ ବିରୋଧ କରିନାହାନ୍ତି ବରଂ ଶ୍ରୀନଗର ବିମାନବନ୍ଦର ରିସେପ୍ସନରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଯଦିଓ ଏହା ପରେ ଛାତ୍ରମାନଙ୍କୁ ପୋଲିସ ଅଟକ ରଖି କରୋନା ତଦନ୍ତ ପାଇଁ ନିର୍ଦ୍ଦିଷ୍ଟ କେନ୍ଦ୍ରକୁ ପଠାଇଛି ।
ଗୁରୁବାର ରାତିରେ ବାଂଲାଦେଶର ୧୬୦ରୁ ଅଧିକ ଛାତ୍ର ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଅଧିକାରୀମାନେ କରୋନାଭାଇରସ ତଦନ୍ତରେ ସହଯୋଗ କରିବାକୁ ସେମାନଙ୍କୁ ନିବେଦନ କରିଥିଲେ । ହେଲେ ଛାତ୍ରମାନେ ସିଧାସିଧା ମନା କରିଦେଇଥିଲେ ତଦନ୍ତ କରେଇବାକୁ । ଏହା ପରେ ଛାତ୍ରମାନେ ଓ ସେମାନଙ୍କ ସାଙ୍ଗରେ ଥିବା ତାଙ୍କ ଅଭିଭାବକମାନେ ବିମାନବନ୍ଦରରେ ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ । ରିସେପ୍ସନରେ ଥିବା ଜିନିଷପତ୍ରକୁ ଫିଙ୍ଗାଫୋପଡ଼ା କରି ଛାତ୍ରମାନେ ସେଠାରେ ଲାଗିଥିବା କାଚ ଝରକା ଭାଙ୍ଗି ପକାଇଲେ ।
ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ବାଂଲାଦେଶର କିଛି ଛାତ୍ର ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ । କରୋନାଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ଗାମ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେହି ଛାତ୍ରମାନଙ୍କୁ ପୃଥକ୍ ରଖିବାର ଥିଲା ଯାହାକୁ ଛାତ୍ରମାନେ ବିରୋଧ କରିଥିଲେ । ତେବେ, ପରେ ସମସ୍ତଙ୍କୁ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିଲା ।
କିଛି ଦିନ ପୂର୍ବେ ପାଠ ପଢିବାକୁ ପାକିସ୍ତାନ ଯାଇଥିବା ୧୪ ଜଣ କାଶ୍ମୀରୀ ଛାତ୍ର ଭାରତ ଫେରିଥିଲେ । ବାଘା ସୀମାରୁ ହିଁ ସେମାନଙ୍କୁ କରୋନା ପରୀକ୍ଷା ପାଇଁ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା । ତେବେ କିଛି ଲୋକ ଟ୍ୱିଟ କରି ପଚାରିଥିଲେ ଯେ ଭଲା କିଏ ପାଠ ପଢିବାକୁ ପାକିସ୍ତାନ ଯାଏ ! କେବଳ ଏତିକି ନୁହେଁ, ଦୁବାଇରୁ ଫେରିଥିବା ୪ଜଣ ଯୁବକ ମଧ୍ୟ କରୋନା ପରୀକ୍ଷା କରିବୁନି ବୋଲି କହି କର୍ଣ୍ଣାଟକର ଡାକ୍ତରମାନଙ୍କୁ ଧମକ ଦେଇଥିଲେ । ସେମାନେ କହିଛନ୍ତି ଯେ ଇସଲାମ ଡାକ୍ତରୀ ପରୀକ୍ଷା କରିବାକୁ ଅନୁମତି ଦିଏ ନାହିଁ । ଏହି ସମୟରେ କେରଳର ସଙ୍ଗରୋଧରୁ ପଳାଉଥିବା ଜଣେ ବ୍ୟକ୍ତି ବୋଗାଇଗାଓଁ ରେଳଷ୍ଟେସନରେ ଧରାପଡିଥିଲେ । ସେ ଆସାମର ବାସିନ୍ଦା ଥିଲେ ଓ ଏବେ ତାଙ୍କୁ ରେଳ ଡାକ୍ତରଖାନାର ଆଇସୋଲେସନ ୱାର୍ଡ (ଏକାନ୍ତବାସ କକ୍ଷ) ରେ ରଖାଯାଇଛି ।