ଡିଜିଟାଇଜେସନକୁ ଆଗକୁ ବଢାଇବାକୁ ଏବଂ ଟ୍ରାଫିକ ପୋଲିସର ଅଧିକାରୀଙ୍କ ଦ୍ୱାରା ଗାଡ଼ି ଡ୍ରାଇଭରମାନେ ପାଉଥିବା ନିର୍ଯ୍ୟାତନା ରୋକିବାକୁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ରେ ବିଭିନ୍ନ ସଂଶୋଧନ କରାଯାଇଛି । ଏହି ନୂଆ ନିୟମ ଗତ ଅକ୍ଟୋବର ୧ ତାରିଖରୁ ଲାଗୁ ମଧ୍ୟ ହୋଇଛି । ଏଣିକି ରାସ୍ତାର ଗାଡ଼ି ଚଲାଉଥିଲେ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ, ପଲ୍ୟୁସନ ସାର୍ଟିଫିକେଟ ଇତ୍ୟାଦି ପାଖରେ ରଖିବାର ଆବଶ୍ୟକତା ନାହିଁ ।
ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟଙ୍କ କହିବାନୁସାରେ ଯାନ ସମ୍ବନ୍ଧୀୟ ଜରୁରୀ କାଗଜପତ୍ର ଯଥା ଗାଡ଼ି ଫିଟନେସ ସାର୍ଟିଫିକେଟ, ପରମିଟ ଠାରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ ଯାଏଁ ସବୁ କିଛି ସରକାରୀ ୱେବ୍ ପୋର୍ଟାଲ୍ ମାଧ୍ୟମରେ ସଂଚାଳିତ କରାଯିବ । ଅର୍ଥାତ ଏବେ ଗାଡ଼ି ଡ୍ରାଇଭରକୁ କୌଣସି କାଗଜପତ୍ର ପାଖରେ ରଖିବା ଦରକାର ନାହିଁ ।

ତେବେ ନୂଆ ନିୟମ ଅନୁଯାୟୀ ଅକ୍ଟୋବର ୧ ତାରିଖ ଠାରୁ ଗାଡ଼ି ଚେକିଂ ଅନଲାଇନ ହେବ । ମନ୍ତ୍ରାଳୟ ରାଜ୍ୟ ପରିବହନ ବିଭାଗ ତଥା ଟ୍ରାଫିକ ପୋଲିସମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଗାଡ଼ି ଡ୍ରାଇଭରଙ୍କୁ କିଛି ମାଗିବ ନାହିଁ । ଦିଆଯାଇଥିବା ୱେବ୍ ପୋର୍ଟାଲ୍ ମାଧ୍ୟମରେ ଟ୍ରାଫିକ ଅଧିକାରୀମାନଙ୍କୁ ନିଜେ ଗାଡ଼ିର ନମ୍ବର ପକେଇ ଗାଡ଼ି ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଯାଞ୍ଚ କରିବେ । କାଗଜପତ୍ର ଯାଞ୍ଚ ସମୟରେ ଇଲେକ୍ଟ୍ରୋନିକ ମାଧ୍ୟମରେ ମିଳିଥିବା ବୈଧତା ବିଶିଷ୍ଟ ଗାଡ଼ିଗୁଡ଼ିକୁ ଅଟକା ଯିବ ନାହିଁ ।
ଡ୍ରାଇଭିଂ ଲାଇସେନ୍ସ ପ୍ରତ୍ୟାହାର କରିବା ମଧ୍ୟ ଡିଜିଟାଲାଇଜ ହେବ । ପୋର୍ଟାଲରେ ଇ-ଚ୍ୟାଲେଞ୍ଜ ଜାରି କରାଯିବ । ଡ୍ରାଇଭରମାନେ କେବଳ ମୋବାଇଲ୍ ଫୋନ୍ ରୁଟ୍ ନେଭିଗେସନ୍ ପାଇଁ ବ୍ୟବହାର କରିପାରିବେ ଯେପରି ଗାଡ଼ି ଚଲାଇବା ସମୟରେ ଏହା ଡ୍ରାଇଭରର ଏକାଗ୍ରତାକୁ ବ୍ୟାଘାତ କରିବ ନାହିଁ । ଏହା ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ଡ୍ରାଇଭର ଯଦି ଫୋନ୍ ବ୍ୟବହାର କରି ଧରାପଡ଼ନ୍ତି ତେବେ ଅପରାଧୀ ଘୋଷିତ ହୋଇ ଟ୍ରାଫିକ୍ ନିୟମ ଅନୁଯାୟୀ ଭରିବେ ଜରିମାନା ।