ଏହି କାରଣ ଯୋଗୁ ସାରା ଦେଶବାସୀଙ୍କୁ କ୍ଷମା ମାଗିଲେ ମୋଦି

୨୧ ଦିନ ଲକଡାଉନର ପଞ୍ଚମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର କଠୋର ନିଷ୍ପତ୍ତି ପାଇଁ ଦେଶକୁ କ୍ଷମା ମାଗିଛନ୍ତି । କାରଣ ଗତକାଲି ଦିଲ୍ଲୀରେ ହଜାର ହଜାର ପ୍ରବାସୀ ଶ୍ରମିକଙ୍କ ଭିଡ଼ ଓ ନିଜ ଘରେ ପହଞ୍ଚିବାର ଚେଷ୍ଟା ଅତି କରୁଣ ଦୃଶ୍ୟ ପ୍ରଦର୍ଶିତ କରୁଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡ଼ିଓ ପ୍ରୋଗ୍ରାମ “ମନ୍ କି ବାତ୍” ମାଧ୍ୟମରେ ସାରା ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ନେଇଥିବା କଠୋର ନିଷ୍ପତ୍ତି ପାଇଁ ସାଧାରଣ ଲୋକଙ୍କୁ  ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା, ଖାସ କରି ଶ୍ରମିକ ଶ୍ରେଣୀର ଲୋକଙ୍କୁ ।

ଶ୍ରମିକ ଶ୍ରେଣୀ ଲୋକେ ଭାବୁଥିବେ କେମିତି ପ୍ରଧାନମନ୍ତ୍ରୀ ଆମ ଦୁଃଖ ଦେଖିଲାନି, ଅନ୍ୟ ଜନତା ଭାବୁଥିବେ କେମିତି ଆମକୁ ଘରେ ବନ୍ଦ କରି ରହିବାକୁ ନିର୍ଦ୍ଦେଶ ଦିଆଗଲା, କିନ୍ତୁ ଭାରତର ୧୩୦ କୋଟି ଜନତାଙ୍କର ସୁରକ୍ଷା ନିଶ୍ଚିତ କରିବାକୁ ଏହି ତାଳବନ୍ଦ ପଦକ୍ଷେପ ଛଡ଼ା ଅନ୍ୟ ଉପାୟ କିଛି ନଥିଲା ବୋଲି ମୋଦି ନିଜ ବକ୍ତବ୍ୟରେ କହିଛନ୍ତି । ସେ ପୁଣି ବି କହିଛନ୍ତି ଯେ କରୋନା ବିରୋଧରେ ଲଢେଇ, ଜୀବନ ଓ ମୃତ୍ୟୁ ଭିତର ଲଢେଇ ଏବଂ ଏହି ଲଢେଇରେ ଆମଜୁ ଜିତିବାକୁ ହେବ । ଆଉ ଏଇଥିପାଇଁ ହିଁ ଏ ନିଷ୍ଠୁର ନିଷ୍ପତ୍ତି ନେବା ଆବଶ୍ୟକ ଥିଲା ।

ଗତ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟ ବନ୍ଦ ଡାକରା ଦେବା, ସମସ୍ତ ଜନସାଧାରଣ ପରିବହନ ବନ୍ଦ କରିବା, ସ୍କୁଲ ଏବଂ କଲେଜ, ମଲ୍ ଏବଂ ବଜାର, ଜିମ୍ ଏବଂ ସୁଇମିଂ ପୁଲ୍ ବନ୍ଦ କରିବା ପରେ ଗତ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ସାରା ଦେଶକୁ ଲକଡାଉନ ଘୋଷଣା କରିଥିଲେ । ଏହି ଘୋଷଣା ବଡ଼ ସହରରେ ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ଅସୁବିଧାରେ ପକାଇଥିଲା । ଲକଡାଉନ ଯୋଗୁ ସେମାନଙ୍କ ପାଖରେ ନା ଆୟ ଥିଲା ନା ଖାଦ୍ୟ । ଯଦିଓ ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି, କମ୍ୟୁନିଟି ରୋଷେଇ ଘର ଏବଂ ବିତରଣ ନେଟୱାର୍କ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ।

ଭୟଭୀତ ହୋଇ, ପ୍ରବାସୀ ଶ୍ରମିକମାନେ ପଳାୟନ ଆରମ୍ଭ କଲେ । ପରିବହନ ଅଭାବରୁ ଅନେକ ପାଦରେ ଚାଲିଚାଲି ନିଜ ଗାଁ ଏବଂ ସହରକୁ ଯିବା ଆରମ୍ଭ କଲେ । ଉତ୍ତର ଭାରତର ରାଜପଥଗୁଡ଼ିକରେ ଏକ ସ୍ଥିର ଜନସ୍ରୋତ ଦେଖାଗଲା । ବେଳେବେଳେ ସେ ଦୃଶ୍ୟରେ ପୁରା ପରିବାର, ପିଲାମାନଙ୍କୁ କାନ୍ଧରେ ବସେଇ ଚାଲିବା ଏବଂ ସେମାନଙ୍କର ଅଳ୍ପ ସମ୍ପତ୍ତି କାଖେଇ ଧରିଥିବା ନଜରକୁ ଆସିଲା ।

ଶ୍ଳୋକ କହି ବୁଝାଇବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏବଂ ଏବ ବିକାରହଃ, ଅପିତରୁଣଃ ସାଧ୍ୟତେ ସୁଖମ୍ । ଅର୍ଥାତ୍ ରୋଗ ଓ ତା ପ୍ରକୋପରୁ ପ୍ରାରମ୍ଭରୁ ହିଁ ଲଢିବା ଉଚିତ୍ । ପରେ ରୋଗ ଅସାଧ୍ୟ ହେଇଯାଏ । ସେତେବେଳେ ପ୍ରତିକାର ବି କଷ୍ଟସାଧ୍ୟ ହେଇଯାଏ । ଆଉ ଆଜି ପୁରା ହିନ୍ଦୁସ୍ଥାନ ଓ ପ୍ରତ୍ୟେକ ହିନ୍ଦୁସ୍ଥାନୀ ଏଇଆ କରୁଛନ୍ତି । ସବୁ ବର୍ଗର ଜନତାଙ୍କୁ ନିବେଦନ କରି କହିଛନ୍ତି ଯେ କରୋନା ଭାଇରସ ସାରା ବିଶ୍ଵକୁ ତା କବଳକୁ ନେଇଗଲାଣି । ଜ୍ଞାନ, ବିଜ୍ଞାନ, ଧନୀ, ଗରିବ, ସବଳ, ଦୁର୍ବଳ, ସମସ୍ତଙ୍କୁ ଆହ୍ଵାନ ଦେଉଛି । ଏହି ଭାଇରସ କୌଣସି ରାଷ୍ଟ୍ର ସୀମାରେ ଏହା ବାନ୍ଧି ହେଇନାହିଁ, କୌଣସି ଜାଗା ସେ ଦେଖୁନି, କୌଣସି ପାଣିପାଗ ଖାତିର କରୁନି ବରଂ ମଣିଷକୁ ମାରିବାର ଜିଦ ଧରି ଆଗେଇ ଚାଲିଛି ।

ସେ ପୁଣି ବି ଲୋକଙ୍କୁ ବୁଝାଇବା ଚେଷ୍ଟାରେ କହିଛନ୍ତି ଯେ ଆରୋଗ୍ୟମ୍ ପରମ୍ ଭାଗ୍ୟମ୍, ସ୍ୱାସ୍ଥ୍ୟମ୍ ସର୍ବାର୍ଥ ସାଧନମ୍ । ଅର୍ଥାତ୍ ଆରୋଗ୍ୟ ହିଁ ସୌଭାଗ୍ୟ, ଦୁନିଆର ସବୁ ସୁଖ ସାଧନ ହିଁ ସ୍ୱାସ୍ଥ୍ୟ । ତେଣୁକରି ସଂପୂର୍ଣ୍ଣ ମାନବଜାତିଙ୍କୁ ଏକଜୁଟ ହୋଇ ସଂକଳ୍ପ ନେବାକୁ ହିଁ ହେବ । ଲକଡାଉନ ନିୟମ ଅନ୍ୟକୁ ସହଯୋଗ ପାଇଁ ନୁହେଁ, ନିଜକୁ ଓ ନିଜ ପରିବାରକୁ ବଞ୍ଚାଇବା ପାଇଁ । ନିୟମ ଉଲଂଘନ କରୁଥିବା ବ୍ୟକ୍ତି ବିପଦକୁ ନିମନ୍ତ୍ରଣ ଦେଉଛନ୍ତି ।     

Leave a Reply

Your email address will not be published. Required fields are marked *