ସଂସ୍କାର : ନାଚୁ ନାଚୁ କ୍ଷଣୀକରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ। ଆଉ ପ୍ରାଣବାୟୁ ଉଡିଯାଇଥିବା ଡାକ୍ତର ଥିଲେ ଜଣେ ପ୍ରସିଦ୍ଧ ଫୋରେନ୍ସିକ ମେଡିସିନ ବିଶେଷଜ୍ଞ। ଗୋଟିଏ ପାର୍ଟିରେ ଉପସ୍ଥିତ ଥିବା ସମସ୍ତ ସୁଧିବୁନ୍ଦ ନାଚ ଗୀତରେ ଥିଲେ ମସଗୁଲ। ହେଲେ ହଠାତ୍ ଚାଲିଥିବା ରଙ୍ଗୀନ ଆସର ଦୁଃଖର ମାହୋଲରେ ପରିଣତ ହୋଇଗଲା। ନାଚୁ ନାଚୁ ଜଣେ ଡାକ୍ତରଙ୍କ ପ୍ରାଣ ବାୟୁ ଉଡିଗଲା।

ପାର୍ଟିରେ ଥିବା ଅନ୍ୟ ଡାକ୍ତର ତାଙ୍କୁ ବଞ୍ଚାଇବାକୁ ସେମାନଙ୍କର ଆପ୍ରାଣ ଚେଷ୍ଟା କରିଥିଲେ, ମାତ୍ର ସଫଳ ହୋଇ ପାରିନଥିଲେ। ତେବେ ବର୍ତ୍ତମାନ ଡାକ୍ତରଙ୍କ ମୃତ୍ୟୁ ବେଳେର ଭିଡିଓ ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ହୋଟେଲ୍ ଜହାଁନୁମାର ହୋଇଥିବା କୁହାଯାଉଛି। ଡାକ୍ତର ପାର୍ଟିରେ ଯୋଗ ଦେବାକୁ ଆସିଥିଲେ।
ତେବେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ପାର୍ଟି ଚାଲିଛି। ସମସ୍ତେ ଗୀତର ତାଳେ ତାଳେ ନାଚୁଛନ୍ତି। ହେଲେ ଅଚାନକ ଜଣେ ବ୍ୟକ୍ତି ଅଟକି ଯାଉଛନ୍ତି ଏବଂ ତଳେ ଖସିପଡୁଛନ୍ତି। ତାଙ୍କ ପାଖରେ ଥିବା ଅନ୍ୟ ଏକ ବ୍ୟକ୍ତି ତୁରନ୍ତ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଛନ୍ତି। ହେଲେ ତଳେ ପଡିଯାଇଥିବା ବ୍ୟକ୍ତିଙ୍କୁ ସେମାନେ ବଞ୍ଚାଇ ପାରି ନାହାନ୍ତି। ଏହି ୨ ମିନିଟ୍ ୫୦ ସେକେଣ୍ଡର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ମୃତ୍ୟୁବରଣ କରିଥିବା ଡାକ୍ତରଙ୍କ ନାମ ସିଏସ ଜୈନ। ସୂଚନା ଅନୁଯାୟୀ, ସେ ଡାକ୍ତରଙ୍କ ପାର୍ଟିରେ ଯୋଗ ଦେଇଥିଲେ। ହେଲେ ନାଚ ଗୀତ ସମୟରେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଡାକ୍ତର ଜୈନ ଭୋପାଳର ପ୍ରସିଦ୍ଧ ଫୋରେନ୍ସିକ ମେଡିସିନ ବିଶେଷଜ୍ଞ ଥିଲେ ବୋଲି ଜଣାପଡିଛି।