‘ଆଜ୍ ତକ୍’ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହେଉଥିବା ଶୋ’ ‘ଡଙ୍ଗଲ’କୁ ଆଙ୍କରିଂ କରୁଥିବା ଲୋକପ୍ରିୟ ନ୍ୟୁଜ୍ ଆଙ୍କର୍ ରୋହିତ ସରଦାନାଙ୍କ ଆଜି ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ନ୍ୟୁଜରେ ଆଙ୍କରିଂ କରୁଥିଲେ ଏବଂ ବର୍ତ୍ତମାନ ସେ ଆଜ୍ ତକ୍ରେ ଆଙ୍କର ଭାବେ କାର୍ଯ୍ୟରତ ଥିଲେ ।
ତେବେ ଏନେଇ ସୁଧୀର ଚୌଧୁରୀ ଟ୍ୱିଟ୍ କରି କହିଛନ୍ତି, ‘କିଛି ସମୟ ପୂର୍ବରୁ ମୋ ପାଖକୁ ଜିତେନ୍ଦ୍ର ଶର୍ମାଙ୍କ ଏକ କଲ ଆସିଥିଲା । ସେ ଯାହା କହିଲେ ତା ଶୁଣି ମୋ ହାତ ଥରି ଉଠିଲା । ଆମର ବନ୍ଧୁ ତଥା ସହକର୍ମୀ ରୋହିତ ସରଦାନାଙ୍କ ମୃତ୍ୟୁ ଖବରକୁ ମୁଁ ବିଶ୍ଵାସ କରିପାରୁନଥିଲି । ମୁଁ କଳ୍ପନା ବି କରି ନଥିଲି ଯେ ଏହି ଭାଇରସ୍ ଆମ ପାଖରୁ ଏମିତି କାହାକୁ ନେଇଯିବ । ମୁଁ ଏଥିପାଇଁ ଆଦୌ ପ୍ରସ୍ତୁତ ନଥିଲି । ଏହା ଈଶ୍ଵରଙ୍କ ଅନ୍ୟାୟ…। ଓମ୍ ଶାନ୍ତି।’

ସୂଚନାଥାଉ ଯେ ଆଜି ଦ୍ଵିପ୍ରହର ସମୟରେ ହୃଦଘାତରେ ରୋହିତଙ୍କ ମୃତ୍ୟୁ ହୋଇଥିଲା । କିଛି ଦିନ ପୂର୍ବରୁ ସେ କୋଭିଡ଼ ପଜିଟିଭ ହୋଇଯାଇଥିଲେ । ଗୁରୁବାର ପର୍ଯ୍ୟନ୍ତ ସେ ସକ୍ରିୟ ଥିଲେ ଏବଂ ନିଜ ବନ୍ଧୁମାନଙ୍କୁ ଉତ୍ସାହିତ କରୁଥିଲେ । ହେଲେ ସେଇଦିନ ରାତିରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା । ଏହାପରେ ତାଙ୍କୁ ନୋଏଡ଼ା ସ୍ଥିତ ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଶୁକ୍ରବାର ଆଜି ଦିନ ଦ୍ଵିପ୍ରହର ସମୟରେ ହୃଦଘାତରେ ସେ ପ୍ରାଣ ହରାଇଥିଲେ । ତେବେ ୨୦୧୮ ରେ ରୋହିତ ସରଦାନାଙ୍କୁ ଗଣେଶ ଶଙ୍କର ବିଦ୍ୟାର୍ଥି ପୁରସ୍କାର ପ୍ରଦାନ କରାଯାଇଥିଲା ।