ପୂର୍ବରୁ ଆତ୍ମନିର୍ଭର ଯୋଜନା ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏବେ ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜ୍ ଲଞ୍ଚ୍ କରି ଭାରତର ଯୁବଗୋଷ୍ଠୀଙ୍କୁ ଆପ୍ ନିର୍ମାଣ କରିବାକୁ ଆହ୍ୱାନ ଦେଇଛନ୍ତି ସେ । ୫୯ ଚାଇନିଜ ଆପକୁ ବ୍ୟାନ୍ କଲା ପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମସ୍ତ ଦେଶବାସୀ ପ୍ରଂଶସା କରିଛନ୍ତି । କିନ୍ତୁ କେମିତି ଦେଶ ଏବେ ଆତ୍ମନିର୍ଭର ହେବେ ସେନେଇ ମୋଦି ପଦକ୍ଷେପ ନେଇଛନ୍ତି ଓ ଜୁଲାଇ ୪ ତାରିଖରେ ଟ୍ୱିଟ୍ କରି ଏ ବାବଦରେ ସୂଚନା ଦେଇଛନ୍ତି ।
କେବଳ ଚାଇନା ଆପ୍ ବ୍ୟବହାର ନକରିବା ଦ୍ଵାରା ସମସ୍ୟାର ସମାଧାନ ହେବନାହିଁ । ଏମିତିକି ସ୍ଵଦେଶୀ ଆପ୍ ନିର୍ମାଣ କରି ଦେଶ ଭିତରେ ବ୍ୟବହାର କରିବା ବି ମୋଦିଙ୍କ ଲକ୍ଷ୍ୟ ନୁହେଁ । ପ୍ରଧାନମନ୍ତ୍ରୀଙ୍କ ଏ ନିଷ୍ପତ୍ତି ପଛର କାରଣ ହେଉଛି ଭାରତୀୟ ଯୁବଗୋଷ୍ଠୀଙ୍କ ପ୍ରସ୍ତୁତ ଜ୍ଞାନ କୌଶଳପୂର୍ଣ୍ଣ ଆପ୍ ଦେଶ ସମେତ ବିଦେଶରେ ବି ଗ୍ରହଣଯୋଗ୍ୟ ଓ ଆଦୃତ ହେଉ ।
ଏଭଳି ଅଭିନବ ପଦକ୍ଷେପ ନେବା ପଛର ଉଦ୍ଦେଶ୍ୟ ହେଉଛି ଭାରତର ଯୁବକମାନେ ଆଗକୁ ଆସନ୍ତୁ ଓ ଟ୍ୱିଟର, ଫେସବୁକ, ଟିକଟକ ଭଳି ଭାରତୀୟ ଆପ୍ ଡେଭଲପ କରନ୍ତୁ । ପ୍ରଧାନମନ୍ତ୍ରୀଙ୍କ କହିବାନୁଯାୟୀ ଆଜି ଦେଶବାସୀଙ୍କ ମଧ୍ୟରେ ମେଡ ଇନ୍ ଇଣ୍ଡିଆ ଆପ୍ ବ୍ୟବହାର ପାଇଁ ଅପୂର୍ବ ଉତ୍ସାହ ରହିଛି ଯେଉଁଥିପାଇଁ ଇଲେକଟ୍ରୋନିକ୍ସ, ଆଇଟି ମନ୍ତ୍ରାଳୟ ଓ ଅଟଳ ଇନୋଭେସନ ମିଶନ ମିଳିତ ଭାବରେ ଏହି ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି । ଏହି ନୂଆ ଚ୍ୟାଲେଞ୍ଜରେ ବିଶେଷ ଭାବରେ ଗୁରୁତ୍ଵ ଦିଆଯାଇଥିବା ଦୁଇଟି ଦିଗ ହେଉଛି ପୂର୍ବରୁ ଥିବା ଭାରତୀୟ ଆପ୍ ଗୁଡିକୁ ପ୍ରମୋଟ କରାଯିବ ଏବଂ ନୂଆ ଆପ୍ ବିକଶିତ କରାଯିବ ।
ନିଆଯାଇଥିବା ଏହି ନୂଆ ଚ୍ୟାଲେଞ୍ଜରେ ମୁଖ୍ୟତଃ ୮ ଟି ବିଭାଗ ରହିବ ଯେଉଁଥିରେ ୱାର୍କ ଫ୍ରମ୍ ହୋମ୍, ସୋସିଆଲ ନେଟୱାର୍କ, ଇ-ଲର୍ଣ୍ଣିଂ, ଏଣ୍ଟରଟେନମେଣ୍ଟ, ସ୍ୱାସ୍ଥ୍ୟ, ବାଣିଜ୍ୟ, ନ୍ୟୁଜ ଓ ଖେଳ ଅନ୍ତର୍ଭୁକ୍ତ । ଏହି ଚ୍ୟାଲେଞ୍ଜରେ କେବଳ ଭାରତୀୟ ଉଦ୍ୟୋକ୍ତା ଓ ଷ୍ଟାର୍ଟ ଅପ୍ କରୁଥିବା ଯୁବ ପ୍ରତିଭାମାନେ ହିଁ ଭାଗ ନେବାକୁ ଯୋଗ୍ୟ ପାର୍ଥୀ ହୋଇପାରିବେ । ଚ୍ୟାଲେଞ୍ଜରେ ଭାଗ ନେବାକୁ ଅନଲାଇନ ଆବେଦନ କରିବାକୁ ପଡ଼ିବ ଏବଂ ଏଥିପାଇଁ innovate.mygov.in ରେ କ୍ଲିକ୍ କରିବାକୁ ହେବ ।
ସୂଚନା ଅନୁଯାୟୀ ବିସ୍ତୃତ ତଥ୍ୟ ଜାଣିବା ସହିତ ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୮ ମଧ୍ୟରାତ୍ର । ଥରେ ଆବେଦନ କରିବା ପରେ ପ୍ରୋଜେକ୍ଟରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ ଏପରିକି ଭୁଲ ତଥ୍ୟ ଦେଇଥିଲେ ପାର୍ଥୀଙ୍କ ଆବେଦନ ପତ୍ରକୁ ଖାରଜ କରି ଦିଆଯିବ । ଆବେଦନ ପରେ ଚୟନ ପ୍ରକ୍ରିୟା ଦୁଇଟି ରହିବ । ବିଚାରକ ମଣ୍ଡଳୀମାନେ ପ୍ରୋଜେକ୍ଟକୁ ଯାଞ୍ଚ ଓ ମୂଲ୍ୟାଙ୍କନ କରିବା ସହିତ ବିଜେତା ବାଛିବେ ଯେଉଁଠି ପ୍ରତ୍ୟେକ ବିଭାଗରେ ବିଜେତା ଜିତିବେ ପୁରସ୍କାର । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ବିଜେତାଙ୍କୁ ଯଥାକ୍ରମେ ୨୦, ୧୫ ଓ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ।