ସଂସ୍କାର : ୫ ବର୍ଷରେ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି କେନ୍ଦ୍ର ସରକାରଙ୍କ ଭଣ୍ଡାରରେ ରହୁଥିବା ଶସ୍ୟ ପରିମାଣ।ଚଳିତ ବର୍ଷ ଗହମ ସଂଗ୍ରହ ଆଶାନୁରୂପ ନରହିବା କାରଣରୁ ଏସବୁ ସମସ୍ୟା ପରିଲକ୍ଷିତ ହୋଇଛି । ସେପଟେ ଧାନ ଚାଷ ହେଉଥିବା ଜମି ପରିମାଣ ୧୨ ପ୍ରତିଶତ ହ୍ରାସ ପାଇଥିବାରୁ ଚାଉଳ ଉତ୍ପାଦନ ମଧ୍ୟ କମ୍ ହେବାର ଆଶଙ୍କା ରହିଛି।
ଯାହାକୁ ନେଇ ଚିନ୍ତା ବଢିଯାଇଛି । ଅଗଷ୍ଟ ୧ସୁଦ୍ଧା ଭାରତୀୟ ଖାଦ୍ୟ ନିଗମ ଭଣ୍ଡାରରେ ୫୪୫.୯୭ ଲକ୍ଷ ଟନ୍ ଚାଉଳ ଓ ଗହମ ରହିଛି । ଶେଷ ଥର ଲାଗି ୨୦୧୭ରେ ଶସ୍ୟ ପରିମାଣ ଏଭଳି ନିମ୍ନ ସ୍ତରକୁ ଖସିଥିଲା । ଏଫ୍ସିଆଇ ଗୋଦାମରେ ଥିବା ଚାଉଳ ପୂର୍ବବର୍ଷ ତୁଳନାରେ ୧୧.୫ ଲକ୍ଷ ଟନ୍ କମ୍ ରହିଛି ଓ ୨୬୬.୪୫ ଲକ୍ଷ ଟନ୍ର ଗହମ ରହିଛି ।
ଶେଷ ଥର ପାଇଁ ୨୦୦୮ରେ ଏତେ କମ୍ ପରିମାଣର ଗହମ ଭଣ୍ଡାରରେ ଥିଲା । ଚଳିତ ବର୍ଷ ସଂଗ୍ରହ ହ୍ରାସ ପାଇବା କାରଣରୁ ଗହମ ପରିମାଣ କମ୍ ରହିଛି । କେତେକ ରାଜ୍ୟକୁ ସରକାର କେନ୍ଦ୍ରୀୟ ଭଣ୍ଡାରରୁ ଗହମ ବଦଳରେ ଚାଉଳ ଆବଣ୍ଟନ କରିଛନ୍ତି । ଯଦି ଧାନ ଉତ୍ପାଦନ ହ୍ରାସ ପାଇବ ତେବେ ସଂଗ୍ରହ ଲକ୍ଷ୍ୟ ହାସଲ କରିବା ସରକାରଙ୍କ ପାଇଁ କଷ୍ଟକର ହୋଇପଡ଼ିବ ।