ବଢ଼ିଲା ଏୟାରଟେଲ କମ୍ପାନୀର ପ୍ରିପେଡ୍‌ ପ୍ଲାନ୍ସର ଟାରିଫ୍‌ ଦର , ବର୍ତ୍ତମାନ ୯୦ ଦିନକୁ ରିଚାର୍ଜ କରିବେ ୭୧୯ ଟଙ୍କା, ଦେଖନ୍ତୁ ସବୁ ପ୍ଲାନର ଟାରିଫ୍‌ ଦର

ସଂସ୍କାର: ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର କମ୍ପାନୀ ‘ଭାରତୀ ଏୟାରଟେଲ’ ପ୍ରିପେଡ୍‌ ପ୍ଲାନ୍ସର ଟାରିଫ୍‌ ଦରରେ ବୃଦ୍ଧି ଘୋଷଣା କରିଛି। କମ୍ପାନୀ ଏଥିରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି। ନୂଆ ଟାରିଫ୍‌ ଦର ୨୬ ନଭେମ୍ବରରୁ ଲାଗୁ ହେବ। ବର୍ତ୍ତମାନ ଏୟାରଟେଲ ପରେ ବାକି ଟେଲିକମ୍‌ କମ୍ପାନୀ ମଧ୍ୟ ଟାରିଫ୍‌ରେ ବୃଦ୍ଧି କରି ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ କହୁଛି।

ମିଳିଥିବା ସୂଚନା ମୁତାବକ, ଏୟାରଟେଲର ୭୯ ଟଙ୍କାର ବେସ୍‌ ପ୍ଲାନ ବର୍ତ୍ତମାନ ୯୯ ଟଙ୍କା ହୋଇ ଯାଇଛି। ଏଥିରେ ୫୦ ପ୍ରତିଶତ ଅଧିକ ଟକ୍‌ ଟାଇମ୍‌ ମିଳିବ। ଏହିଭଳି ୧୪୯ ଟଙ୍କାର ପ୍ଲାନ ୧୭୯ ଟଙ୍କାରେ ଉପଲବ୍ଧ ହେବ। ଏଥିରେ ୨୮ ଦିନର ବୈଧତା ସହିତ ଅନଲିମିଟେଡ୍‌ କଲିଙ୍ଗ୍‌, ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ ଏବଂ ମୋଟ ୨ ଜିବି ଡାଟା ମିଳିବ। ଏହିଭଳି ୨୧୯ ଟଙ୍କାର ପ୍ଲାନ ଏବେ ୨୬୫ ଟଙ୍କାର ହୋଇ ଯାଇଛି। ଏଥିରେ ୨୮ ଦିନର ବୈଧତା ସହିତ ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ ଏବଂ ୧ ଜିବି ଡାଟା ମିଳିବ।

ଏୟାରଟେଲ ବେସ୍‌ ପ୍ଲାନ ୨୦ ଟଙ୍କା ମହଙ୍ଗା ହୋଇଥିବା ବେଳେ, ସବୁଠାରୁ ମହଙ୍ଗା ପ୍ଲାନରେ ୫୦୧ ଟଙ୍କା ବୃଦ୍ଧି ଘଟିଛି। କମ୍ପାନୀର ସବୁଠାରୁ ମହଙ୍ଗା ପ୍ଲାନ ଏ ପର୍ଯ୍ୟନ୍ତ ୨୪୯୮ ଟଙ୍କାର ଥିଲା, ଯାହାକି ବର୍ତ୍ତମାନ ୨୯୯୯ ଟଙ୍କା ହୋଇ ଯାଇଛି। ଏଥିରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଅନଲିମିଟେଡ୍‌ କଲିଙ୍ଗ୍‌, ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ ଏବଂ ୨ ଜିବି ଡାଟା ମିଳିବ। ଏହି ବୃଦ୍ଧି ପରେ ଏୟାରଟେଲର ପ୍ରିପେଡ୍‌ ପ୍ଲାନ୍ସ ରିଲାୟନ୍ସ ଜିଓ ତୁଳନାରେ ୩୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇ ଯାଇଛି। ଜିଓର ୨ ଜିବି ଏବଂ ୨୮ ଦିନିଆ ବୈଧତା ଯୁକ୍ତ ପ୍ଲାନ ୧୨୯ ଟଙ୍କାର ରହିଛି, ଯେତେବେଳେ କି ଏୟାରଟେଲର ଏହି ପ୍ଲାନର ଦାମ୍‌ ୧୭୯ ଟଙ୍କା ହୋଇ ଯାଇଛି। ସେହିପରି ଜିଓର ଦୈନିକ ୧.୫ ଜିବି ଡାଟା ଏବଂ ୮୪ ଦିନିଆ ବୈଧତା ଯୁକ୍ତ ପ୍ଲାନ ୫୫୫ ଟଙ୍କାର ଥିବା ବେଳେ ଏୟାରଟେଲର ଗ୍ରାହକମାନଙ୍କୁ ଏଥିପାଇଁ ୭୧୯ ଟଙ୍କା ଦେବାକୁ ପଡ଼ିବ।

ଏୟାରଟେଲ ଏହି ସୂଚନା ଦେବାକୁ ଯାଇ କହିଛି ଯେ, ହାରାହାରି ଉପଭୋକ୍ତା ରାଜସ୍ୱ (ARPU) ୨୦୦ ଟଙ୍କା ହେବା ଉଚିତ ଏବଂ ଏହାକୁ ବଢ଼ାଇ ୩୦୦ ଟଙ୍କାରେ ପହଞ୍ଚାଇବା ଦରକାର, ଯେପରି କମ୍ପାନୀଗୁଡ଼ିକ ବିନିଯୋଗ ହୋଇଥିବା ପୁଞ୍ଜି ଉପରେ ଯୁକ୍ତିଯୁକ୍ତ ରିଟର୍ନ ପାଇ ପାରିବେ। କମ୍ପାନୀ କହିଛି, ଏକ ହେଲ୍‌ଦି ବିଜନେସ୍‌ ମଡେଲ ପାଇଁ ଏହା ବହୁତ ଜରୁରୀ। ARPU ଏହି ସ୍ତରକୁ ଆସିବା ଦ୍ୱାରା ନେଟ୍‌ଓ୍ଵାର୍କ ଏବଂ ସ୍ପେକ୍ଟ୍ରମ୍‌ ପାଇଁ ଜରୁରୀ ନିବେଶ ମିଳିବ। ଏଥି ସହିତ କମ୍ପାନୀକୁ ଦେଶରେ ୫ଜି ସେବା ଆରମ୍ଭ କରିବା ପାଇଁ ସମ୍ବଳ ମିଳି ପାରିବ, ଯେଉଁ କାରଣରୁ କମ୍ପାନୀ ନଭେମ୍ବରରେ ଟାରିଫ୍‌ ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ଏୟାରଟେଲ ପରେ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଟାରିଫ୍‌ ଦରରେ ପରିବର୍ତ୍ତନ କରି ପାରନ୍ତି। ଖାସ୍‌ କରି ଅଧିକ କରଜରେ ସଂଘର୍ଷ କରୁଥିବା ଭୋଡାଫୋନ ଆଇଡିଆ ନିଜର ପ୍ରିପେଡ୍‌ ଦରକୁ ମହଙ୍ଗା କରିପାରେ।

Leave a Reply

Your email address will not be published. Required fields are marked *