ଅଯୋଧ୍ୟାରେ ଉଦଘାଟିତ ହେବାକୁ ଯାଉଥିବା ଶ୍ରୀରାମଲଲ୍ଲା ମନ୍ଦିରକୁ ଭେଟି ଦିଆଯିବ ଏହି ପାଦୁକା । ସୁନା, ରୂପା ଓ ପିତ୍ତଳରେ ନିର୍ମିତ ଏହି ପାଦୁକାର ଓଜନ ହେଉଛି ୧୨.୫ କେଜି।

ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଉଦଘାଟିତ ହେବାକୁ ଯାଉଛି ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଏହି ଦିନ ଗର୍ଭଗୃହରେ ରାମଲଲ୍ଲା ବିରାଜମାନ କରିବାକୁ ଥିବାବେଳେ, ଏଥିପାଇଁ ପ୍ରସ୍ତୁତି ବି ଜୋରସୋରରେ ଜାରି ରହିଛି । ଆଉ ଏହି ଅବସରରେ, ତେଲେଙ୍ଗାନା ହାଇଦ୍ରାବାଦର ଏକ ଅନୁଷ୍ଠାନ ଅଯୋଧ୍ୟା ଭାଗ୍ୟନଗର ସୀତରାମ ଫାଉଣ୍ଡେସନ୍ ଭଗବାନ ଶ୍ରୀରାମଙ୍କୁ ୧ କୋଟି ଟଙ୍କାର ଏକ ପାଦୁକା ଭେଟି ଦେବ ।

ସୂଚନା ମୁତାବକ, ପ୍ରଭୁ ଶ୍ରୀରାମଙ୍କ ପାଦୁକାର ଗୋଟିଏ ଯୋଡି ବର୍ତମାନ ଅଯୋଧ୍ୟାରେ ପହଞ୍ଚିସାରିଛି । ଆଉ ଦ୍ୱିତୀୟ ଯୋଡିକୁ ଭକ୍ତଙ୍କ ସାହାଯ୍ୟରେ ଅଯୋଧ୍ୟା ପଠାଯାଉଛି । ଏହି ପାଦୁକାର ଲମ୍ବ ୧୨.୫ ଇଞ୍ଚ ହେଇଥିବାବେଳେ, ଏହାର ଓସାର ହେଉଛି ୫.୫ ଇଞ୍ଚ । ସେହିଭଳି ଏହା ୧ ଇଞ୍ଚ ମୋଟା ହେଇଥିବାବେଳେ, ମୋଟ ଉପରେ ଏହାର ଓଜନ ୧୨.୫ କେଜି । ସୁନ, ରୂପା, ତମ୍ବା ଏବଂ ପିତ୍ତଳରେ ଏହି ପାଦୁକାକୁ ନିର୍ମାଣ କରାଯାଇଛି ।

ଏହି ପାଦୁକାର ନିର୍ମାଣ ଅଯୋଧ୍ୟା ଭାଗ୍ୟନଗର ସୀତାରାମ ଫାଉଣ୍ଡେସନର ସଂସ୍ଥାପକ ତଥା ନିର୍ଦ୍ଦେଶକ ଶ୍ରୀନିବାସ ଶାସ୍ତ୍ରୀ କରିଛନ୍ତି । ତାଙ୍କ କହିବା ମୁତାବକ, ଏହାକୁ ନିର୍ମାଣ କରିବାକୁ ୨୫ ଦିନ ଲାଗିଛି । ଏହାକୁ ଭଗବାନ ଶ୍ରୀରାମଙ୍କ ପାଖରେ ଭେଟି ଦିଆଯିବ । ଆସନ୍ତା ଜାନୁଆରୀ ୧୦ ରୁ ୧୫ ଭିତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏହି ପାଦୁକା ପ୍ରଦାନ କରାଯିବ ।