ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି ଯେ ଚାଇନାର ଲ୍ୟାବରୁ କରୋନାଭାଇରସ ସଂକ୍ରମଣର ବ୍ୟାପକ ପ୍ରମାଣ ମିଳିଛି ଯଦିଓ ପୋମ୍ପିଓ ଗଣମାଧ୍ୟମକୁ କୌଣସି ପ୍ରମାଣ ଦେଇନାହାନ୍ତି । ଦୀର୍ଘ ସମୟ ଧରି ବିଶ୍ୱର ଅନେକ ଦେଶ ସନ୍ଦେହ କରୁଛନ୍ତି ୱୁହାନରେ ଥିବା ଚାଇନା ଲ୍ୟାବକୁ । ସନ୍ଦେହ ଯେ ଏହି ଲ୍ୟାବରେ କରୋନାଭାଇରସ ଉପରେ ଗବେଷଣା କରାଯାଇଥିଲା ଯାହାକୁ ଚୀନ ଅସ୍ୱୀକାର କରିଛି ।
ରବିବାର ଦିନ ଦେଇଥିବା ଏକ ସାକ୍ଷାତକାରରେ ପୋମ୍ପିଓ ଚୀନ ଉପରେ ଆଣିଥିବା ଅଭିଯୋଗକୁ କେନ୍ଦ୍ର କରି ଏକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି ବୋଲି କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବୋତ୍ତମ ବିଶେଷଜ୍ଞମାନଙ୍କ ବିଶ୍ଵାସ ଯେ ଏହି ଭାଇରସ ତିଆରି କରାଯାଇଛି । ଆଉ ଏହି ସମୟରେ ସେମାନଙ୍କର ଏ ବିଚାରକୁ ଗ୍ରହଣ ନକରିବାର ବି କୌଣସି କାରଣ ନାହିଁ ବୋଲି ପୋମ୍ପିଓ କହିଛନ୍ତି ।
ଯେତେବେଳେ ପମ୍ପିଓଙ୍କୁ କୁହାଯାଇଥିଲା ଯେ ଆମେରିକୀୟ ଇଣ୍ଟେଲିଜେନ୍ସ ଏହି ବିଷୟରେ ଏକ ଆନୁଷ୍ଠାନିକ ବିବୃତ୍ତି ଦେଇ ବିପରୀତ କଥା କହିଛି ଯେ ମଣିଷ ଜୀବାଣୁ ସୃଷ୍ଟି କରି ନାହିଁ ବୋଲି ପୋମ୍ପିଓଙ୍କ କିନ୍ତୁ ଏହାର ପ୍ରତିଉତ୍ତର ଦେଇ କହିଲେ ଯେ ସେ ଠିକ୍ କହିଛନ୍ତି ଓ ତାଙ୍କ ସହିତ ସେ ବି ସହମତ ।
ଗୁରୁବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସମାନ ଦାବି କରିଛନ୍ତି । ଟ୍ରମ୍ପ କହିଥିଲେ ଯେ ସେ ଚାଇନାର ଲ୍ୟାବରୁ ଏହି କରୋନାଭାଇରସ ବିସ୍ତାର ବିଷୟରେ ପ୍ରମାଣ ଦେଖିଛନ୍ତି, କିନ୍ତୁ ସେ ଏହାକୁ ଶେୟାର କରିପାରିବେ ନାହିଁ ।
ଟ୍ରମ୍ପଙ୍କ ବିବୃତ୍ତିର ବିପରୀତରେ କିନ୍ତୁ ଗୁରୁବାର ଦିନ ପୋମ୍ପିଓ ଏକ ସାକ୍ଷାତକାରରେ କହିଛନ୍ତି ଯେ କରୋନା ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ ଆସିଛି ବୋଲି ଆମେରିକା ଜାଣିନି । କରୋନା ଚାଇନାର ମାଂସ ବଜାରରୁ କିମ୍ବା ଅନ୍ୟ କୌଣସି ସ୍ଥାନରୁ ବିସ୍ତାର ହୋଇଛି ସେ ବିଷୟରେ ବି ଆମେରିକା ଜାଣିନି । ଆମେରିକା ପାଖରେ ଏହାର ଉତ୍ତର ନାହିଁ ।