୪ ଟା ମାସରେ ସମଗ୍ର ଦେଶ କରୋନା କବଳରେ : ଆଜି କରୋନା ମାମଲା ୧୧ ଲକ୍ଷକୁ ଟପିଗଲା

ବାରମ୍ବାର ଲକଡାଉନ ଓ ଯାବତୀୟ କଟକଣା ସତ୍ତ୍ୱେ ଦେଶ ସାରା କରୋନା ସଂକ୍ରମଣ ବଢିବାରେ ଲାଗିଛି । ଦେଶର କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ଏବେ ଆଉ କରୋନା ମୁକ୍ତ ହୋଇ ରହିନାହିଁ । ଗତ ୨୪ ଘଣ୍ଟା ଭିତରେ ଦେଶରେ ପୁଣିଥରେ ୩୭,୧୪୮ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ କରୋନାରେ ୫୮୭ ଜଣଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ସମୁଦାୟ କରୋନା ମାମଲା ୧୧ ଲକ୍ଷ ୫୫ ହଜାର ୧୯୧ ରହିଥିଲାବେଳେ ଆରୋଗ୍ୟଙ୍କ ସଂଖ୍ୟା ରହିଛି ୭ ଲକ୍ଷ ୨୪ ହଜାର ୫୭୭ । ସେହିପରି କରୋନା ଯୋଗୁ ମୃତକଙ୍କ ସଂଖ୍ୟା ୨୮ ହଜାର ୮୪ ରେ ପହଞ୍ଚିଲାଣି । ଏହାବ୍ୟତୀତ ଯଦି ସକ୍ରିୟ ମାମଲା ଦେଖିବା ତେବେ ୪ ଲକ୍ଷ ୨ ହଜାର ୫୨୯ ସକ୍ରିୟ ମାମଲା ରହିଥିବାବେଳେ ୬ ଦିନ ଧରି କ୍ରମାଗତ ଭାବରେ ଦେଶରେ ସଂକ୍ରମଣ ମାମଲା ୩୦ ହଜାରରୁ ଅଧିକ ରହିଛି ।

ରିପୋର୍ଟ କହୁଛି ଯେ ଗତ ଚାରି ମାସ ଭିତରେ ପୂରା ଦେଶ କରୋନା କବଳକୁ ପଳାଇଛି । କାରଣ ୫୦୦ ସଂକ୍ରମଣ ମାମଲା ଥିବାବେଳେ ଭାରତରେ ଲକ୍‌ଡାଉନ୍‌ ପ୍ରକ୍ରିୟା ଜାରି ହୋଇଥିଲା । ମାର୍ଚ୍ଚ ୩୧ ବେଳକୁ ଦେଶରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ମାତ୍ର ୧୫ ଟି ସ୍ଥାନରେ ଖୁବ୍‌ କମ୍‌ ମାମଲା ସହିତ କରୋନା ଥିଲା । କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ଗାଁରୁ ସହର ଦ୍ରୁତ ଗତିରେ କରୋନା ତାର କାୟା ମେଲାଇ ଚାଲିଲା ।

ବର୍ତ୍ତମାନ ୧୭ ଟି ରାଜ୍ୟରେ ଜାତୀୟ ହାରାହାରିଠାରୁ ଅଧିକ ଦ୍ରୁତ ଗତିରେ ସଂକ୍ରମଣ ମାମଲା ବଢ଼ିଛି । ୪ ଟି ରାଜ୍ୟରେ ୫୦ ହଜାରରୁ ଅଧିକ ମାମଲା ରହିଥିବାବେଳେ ୧୮ ଟି ରାଜ୍ୟରେ ୧୦ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର ପରେ କର୍ଣ୍ଣାଟକ ଏବଂ ତାମିଲନାଡୁରେ ଗତ ସପ୍ତାହରେ ମୃତ୍ୟୁ ସଂଖ୍ୟା ବଢ଼ିଛି । ଜାତୀୟ ସ୍ତରରେ ମୃତ୍ୟୁହାର କମୁଥିଲେ ମଧ୍ୟ ରାଜ୍ୟସ୍ତରରେ ଏହା ବଢୁଛି । ଗୁଜରାଟରେ ଗତ ମାର୍ଚ୍ଚ ଏବଂ ଅପ୍ରେଲରେ ସଂକ୍ରମଣ ମାମଲା କମ୍‌ ଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଅଧିକ ଥିଲା, ଏମିତିକି ଜାତୀୟ ହାରାହାରିକୁ ଟପି ଯାଇଥିଲା । ସୂଚନା ଅନୁଯାୟୀ ଚଳିତ ମାସରେ ବିଶ୍ଵରେ କରୋନା ଜନିତ ମୋଟ୍‌ ମୃତ୍ୟୁ ସଂଖ୍ୟା ୯୪ ହଜାର ।

Leave a Reply

Your email address will not be published. Required fields are marked *