ଯେତେବେଳେ ସାରା ଦେଶ ଦୁନିଆ କରୋନା ମହାମାରୀ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଆଗ ଧାଡ଼ିର କରୋନା ଯୋଦ୍ଧାର ଆଖ୍ୟା ଦିଆଯାଇଛି ସେବେଳେ ଗୁଜୁରାଟର ଅହମ୍ମଦାବାଦରୁ ସାମ୍ନାକୁ ଆସିଛି ଏକ ଏମିତି ଘଟଣା । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ସେହି ଘରୋଇ ହସ୍ପିଟାଲ ଠାରୁ ୭୭ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି । ଏମିତିକି ଉକ୍ତ ହସ୍ପିଟାଲ ବିରୋଧରେ ପୋଲିସରେ ମାମଲା ମଧ୍ୟ ଦାୟର କରାଯାଇଛି ।
ସୂଚନା ଅନୁଯାୟୀ ଜଣେ ୭୩ ବର୍ଷୀୟ କରୋନା ରୋଗୀ ଏକ ଘରୋଇ ହସ୍ପିଟାଲରେ ଚକିତ୍ସିତ ହେଉଥିଲେ ଏବଂ ଜୁନ ୧୮ରେ ଭେଣ୍ଟିଲେଟର ଦରକାର ପଡ଼ିବାରୁ ତାଙ୍କୁ ରାଜସ୍ଥାନର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଉକ୍ତ ହସ୍ପିଟାଲର ଗେଟ୍ ଖୋଲିବାକୁ କର୍ମଚାରୀମାନେ ପ୍ରାୟ ୨୦ ମିନିଟ ବିଳମ୍ବ କଲେ ଯାହାଫଳରେ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା ।
ଏହି ଘଟଣା ପରେ କିନ୍ତୁ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ରାଜସ୍ଥାନର ସେହି ହସ୍ପିଟାଲ ବିରୋଧରେ ୨୫ ଲକ୍ଷ ଟଙ୍କା, ୮ ଜଣ ବୋର୍ଡ଼ ସଦସ୍ୟଙ୍କ ଉପରେ ୧୬ ଲକ୍ଷ ଟଙ୍କା ଏବଂ ୧୮ ଜଣ ଟ୍ରଷ୍ଟିଙ୍କ ଠାରୁ ୩୬ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି । ଏହି ଟଙ୍କା କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯିବ ବୋଲି AMC କହିଛି । ଗୁଜୁରାଟ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ AMC ତରଫରୁ ଉକ୍ତ ହସ୍ପିଟାଲ ଉପରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।