ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଖୁବ୍ ତୀବ୍ରଗତିରେ ଭାଇରାଲ୍ ହେବାରେ ଲାଗିଛି । ଭିଡ଼ିଓଟିରେ ଦେଖିବାକୁ ମିଳିଛି ଯେ ସ୍କୁଟି ଚଲାଉଥିବା ଜଣେ ଯୁବତୀ ପୋଲିସ କର୍ମୀଙ୍କ ସହିତ ପ୍ରବଳ ପାଟିତୁଣ୍ଡ କରୁଛନ୍ତି । ଏହାସହିତ ଗାଡ଼ି ଉପରେ ବସି ଲଗାତାର କାହା ସହିତ ଫୋନରେ କଥା ମଧ୍ୟ ହେଉଛନ୍ତି । ଏ ସମୟରେ ଜଣେ ମହିଳା ପୋଲିସ କର୍ମଚାରୀ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି ଏବଂ ଯୁବତୀଙ୍କ ସ୍କୁଟିକୁ ସିଜ୍ କରିଦିଆଯାଉଛି ।
ଘଟଣାଟି ଘଟିଛି କର୍ଣ୍ଣାଟକର ମାଣ୍ଡ୍ୟା ସହରରେ ଏବଂ ମାର୍ଚ୍ଚ ୭ ତାରିଖ ଦିନ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ । ଏହି ଭିଡ଼ିଓକୁ ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ଶେୟାର କରିଥିଲେ । ଯୁବତୀ ଜଣକ ନିଜ ସ୍କୁଟିକୁ ନୋ ପାର୍କିଂ ଅଞ୍ଚଳରେ ଠିଆ କରାଇ ଲଗାତାର ମୋବାଇଲରେ କଥା ହେଉଥିଲେ । ପୋଲିସ କହିଲା ପରେ ଓଲଟି ତାଙ୍କ ସହିତ ଯୁକ୍ତିତର୍କ କଲେ । ତେବେ ପୋଳିସ ସ୍କୁଟିକୁ ସିଜ୍ କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିଲେ ଏବଂ ଏ କଥାକୁ ନେଇ ଯୁବତୀ ଜଣକ ପୋଲିସ କର୍ମୀଙ୍କ ସହିତ ଝଗଡ଼ା କରିବାକୁ ବି ପଛେଇ ନଥିଲେ ।
ସେତିକିରେ ସରିନଥିଲା କଥା । ଭାଇରାଲ ହେଉଥିବା ଯୁବତୀଙ୍କ କହିବାନୁସାରେ, ପୋଲିସ ଜରିମାନା ଲଗେଇ ପାରିବ ହେଲେ ସ୍କୁଟିକୁ ସିଜ୍ କରିପାରିବନି । ଭିଡ଼ିଓ ସ୍ପଷ୍ଟ ଦେଖି ପାରିବେ କିପରି ଜଣେ ପୋଲିସକର୍ମୀ ସ୍କୁଟିକୁ ଟେକି ନେଇଯାଉଛନ୍ତି ହେଲେ ଯୁବତୀ ଏହାକୁ କରିବାକୁ ଦେଉ ନାହାନ୍ତି । ଶେଷରେ ଏହି ନାବାଳିକା ଯୁବତୀଙ୍କୁ ଥାନାକୁ ନିଆଯାଇଥିଲା । ମାତ୍ର ତାଙ୍କ ବୟସକୁ ବିଚାର କରି ପୋଲିସ କର୍ମଚାରୀମାନେ ଏହି ପ୍ରସଙ୍ଗରେ ଅଧିକ ପଦକ୍ଷେପ ନନେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କୁ ଛାଡ଼ି ଦିଆଗଲା ।