ସଂସ୍କାର :- ସୋମବାର ଦିନ ଆସାମ ଏବଂ ମିଜୋରାମ ମଧ୍ୟରେ ସୀମା ବିବାଦକୁ ହିଂସାତ୍ମକ ରୂପ ଦେଖାଦେଇଛି। ଉଭୟ ରାଜ୍ୟର ପୋଲିସ ଏବଂ ଲୋକଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଥିଲା। ଉଭୟ ପାର୍ଶ୍ୱର ପୋଲିସ ପ୍ରଶାସନ ପ୍ରଥମେ ଲାଠି ଚାର୍ଜ କରିଥିଲେ, ପରବର୍ତ୍ତୀ ସମୟରେ ଯେତେବେଳେ ହିଂସାକାଣ୍ଡ ବଢ଼ିଲା ସେହି ସମୟରେ ଉଭୟ ପାର୍ଶ୍ୱର ପୋଲିସ ଲୁହବୁହା ଗ୍ୟାସ ଫିଙ୍ଗିଥିଲା। ଏହା ପରେ ପରେ ଦୁଇ ପାର୍ଶ୍ୱର ପୋଲିସ ଗୁଳି ଚାଳନା ମଧ୍ୟ କରିଥିଲେ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମା ଦାବି କରିଛନ୍ତି ଯେ, ଏହି ଗୁଳି ବିନିମୟରେ ଆସାମ ପୋଲିସର ୫ ଜଣ ଯବାନ ସହିଦ ହୋଇଛନ୍ତି। କାଚର ଜିଲ୍ଲା ଏସପି ଭାଇବାଭ ନିମ୍ବଲକର ଚନ୍ଦ୍ରକର ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଗୋଡରେ ଗୁଳି ବାଜିଛି ଏବଂ ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ଏହା ସହିତ ୫୦ ରୁ ଅଧିକ ପୋଲିସକର୍ମୀ ମଧ୍ୟ ଏହି ହିଂସାରେ ଆହତ ହୋଇଛନ୍ତି।

ଏନକାଉଣ୍ଟର ହଟାଇବା ନେଇ ପୋଲିସ ଏବଂ ଉଭୟ ରାଜ୍ୟର ନାଗରିକଙ୍କ ମଧ୍ୟରେ ଏହି ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଅବସ୍ଥା ଆହୁରି ଖରାପ ହୋଇ ଉଭୟ ପାର୍ଶ୍ୱରୁ ବାଡ଼ି ଓ ପଥରରୁ ଆକ୍ରମଣ ଆରମ୍ଭ ହୋଇଥିଲା। ତେବେ ଏଠାରେ ଆମେ କହିଦେବାକୁ ଚାହିଁବୁ ଯେ, ଗୃହମନ୍ତ୍ରୀ ଅମିତ ଶାହା ନିକଟରେ ଆସାମ ଗସ୍ତ କରିଛନ୍ତି। ତାଙ୍କ ଗସ୍ତର ଦୁଇ ଦିନ ପରେ ଏହି ହିଂସାକାଣ୍ଡ ହୋଇଛି।
ତେବେ ବର୍ତ୍ତମାନ ଏହି ଘଟଣାରେ ଆଉ ଏକ ବିବାଦ ସାମ୍ନାକୁ ଆସିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମା ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଭିଡ଼ିଓ ଟ୍ବିଟ୍ କରି ସେୟାର କରିଛନ୍ତି । ଯେଉଁଥିରେ ସ୍ପଷ୍ଟ ଭାବରେ ଜଣାପଡ଼ୁଛି ଯେ, ମିଜୋରାମ ପୋଲିସ ଏବଂ ସେଠାକାର ଜନସାଧରଣ ଉତ୍ସବ ପାଳନ କରୁଛନ୍ତି। ମିଜୋରାମ ପୋଲିସ ଓ ମିଜୋରାମ ଜନସାଧାରଣ ପରସ୍ପର ସହିତ ହାତ ମିଳାଇ ଅଭିନନ୍ଦନ ଜଣାଉଛନ୍ତି ।
ଆସାମ ସିଏମ ଏହି ଟ୍ବିଟ୍ ରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଆସାମର ୫ଜଣ ପୋଲିସ କର୍ମଚାରୀଙ୍କୁ ସହିଦ କରିବା ପରେ ଏବଂ ଅନେକ ଲୋକଙ୍କୁ ଆହତ କରିବା ପରେ ମିଜୋରାମ ପୋଲିସ ଏବଂ ଗୁଣ୍ଡମାନେ ଉତ୍ସବ ପାଳନ କରୁଛନ୍ତି। ତେବେ ବିଳମ୍ବିତ ରାତିରେ ଜାରି କରାଯାଇଥିବା ବିବୃତ୍ତିରେ 5 ଜଣ ପୋଲିସର ମୃତ୍ୟୁ ସମ୍ପର୍କରେ ସରକାର ସୂଚନା ଦେଇଛନ୍ତି।
ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦେଶର ଗୃହ ମନ୍ତ୍ରୀ ଅମିତ ଶାହା ମିଜୋରାମ ଓ ଆସାମ ମୁଖ୍ୟମନ୍ତ୍ରୀଙ୍କ ଏହି ହିଂସାକାଣ୍ଡ ବିଷୟରେ କଥାବାର୍ତ୍ତା ହୋଇଛନ୍ତି। ସେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ରାଜ୍ୟରେ ଶାନ୍ତି ରଖିବା ପାଇଁ ଆଦେଶ ଦେଇଛନ୍ତି।