କରୋନା ସଂକ୍ରମଣ ରୋଗୀ ପ୍ରାୟ ୧୦ରୁ ୧୪ ଦିନ ଭିତରେ କରୋନା ନେଗେଟିଭ୍ ହୋଇଯାଆନ୍ତି । ମାତ୍ର ରାଜସ୍ଥାନର ଭରତପୁର ଜିଲ୍ଲାରୁ ଆସିଛି ଏକ ଆଚମ୍ବିତ କଲାଭଳି ଖବର । ପ୍ରାୟ ୫ ମାସ ତଳେ ଜଣେ ମହିଳା କରୋନା ସଂକ୍ରମିତ ହୋଇଥିଲେ ଏବଂ ଏପର୍ଯ୍ୟନ୍ତ ସେ ୩୧ ଥର ପରୀକ୍ଷା କରିସାରିଲେଣି । ହେଲେ ସବୁଥର ତାଙ୍କ ରିପୋର୍ଟ ପଜିଟିଭ୍ ଆସୁଛି ଯାହା ଡାକ୍ତରଙ୍କୁ ମଧ୍ୟ ଚିନ୍ତାରେ ପକାଇଛି ।
ଭରତପୁରର ‘ଆପନା ଘର’ ନାମକ ଏକ ଆଶ୍ରମରେ ରହୁଥିବା ଏହି ୩୦ ବର୍ଷୀୟ ମହିଳା ଶାରଦା ଦେବୀ ଗତ ୫ ମାସ ଭିତରେ ୧୭ଟି RT-PCR ଓ ୧୪ଟି ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରିସାରିଛନ୍ତି । ଏଲୋପାଥିକ, ହୋମିଓପାଥିକ ଏବଂ ଆର୍ୟୁବେଦିକ ଔଷଧ ତାଙ୍କୁ ଦିଆ ସାରିଥିବା ବେଳେ ତଥାପି ସେ କରୋନାରୁ ମୁକ୍ତ ହୋଇ ପାରୁନାହାନ୍ତି । ତେବେ ସବୁଠାରୁ ମଜାଦାର କଥା ହେଉଛି, ବାରମ୍ବାର ପଜିଟିଭ ରିପୋର୍ଟ ଆସିବା ସତ୍ତ୍ୱେ ଶାରଦା ଦେବୀ ନିଜକୁ ସୁସ୍ଥ ଅନୁଭବ କରୁଛନ୍ତି ।

ଶାରଦାଙ୍କର ପ୍ରଥମ ଟେଷ୍ଟ ୨୮ ଅଗଷ୍ଟ ୨୦୨୦ରେ କରାଯାଇଥିଲା, ଯେଉଁଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ତାଙ୍କୁ ଆରବିଏମ୍ ହସ୍ପିଟାଲକୁ ପଠାଯାଇଥିଲା । ପରେ ତାଙ୍କୁ ଆଶ୍ରମରେ କ୍ଵାରେଣ୍ଟିନ ବ୍ୟବସ୍ଥାକୁ ସ୍ଥାନାନ୍ତର କରାଯାଇଥିଲା । ଥକି ନଯାଇ ସାରା ଦିନ ସେ କାମ କରନ୍ତି ଏବଂ ତାଙ୍କ ଓଜନ ମଧ୍ୟ ୮ କେଜି ବଢିଯାଇଛି । ଡାକ୍ତରଙ୍କ ପାଇଁ ଏହା କୌଣସି ଚମତ୍କାରଠାରୁ କମ ନୁହେଁ ।
ଆଶ୍ରମ ଅଧ୍ୟକ୍ଷ ଡାକ୍ତର ବିଏମ୍ ଭରଦ୍ଵାଜ କୁହନ୍ତି ଯେ ଶାରଦାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି, ତାଙ୍କ ଠାରେ କୌଣସି ଦୁର୍ବଳତା ଚିହ୍ନ ଦିଶୁନାହିଁ । ବଝୋର ଗାଁରୁ ଅଣାଯାଇଥିଲା ସେତେବେଳେ ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ସେ ଆଶ୍ରମର ପ୍ରଥମ କରୋନା ପଜିଟିଭ ଥିଲେ। ତାଙ୍କର ପ୍ରଥମ ଟେଷ୍ଟ ୨୮ ଅଗଷ୍ଟ ୨୦୨୦ରେ ହୋଇଥିଲା।