ସାରା ଦେଶରେ ଅଧିକାଂଶ ସ୍ଥାନରେ ତଲାବନ୍ଦ ଥିଲାବେଳେ, ବିହାରରେ ଏହି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି

ପାଟନା : କରୋନାଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅଧିକାଂଶ ଅଞ୍ଚଳ ତାଲାବନ୍ଦ (ସନ୍ନିରୋଧନ), କିନ୍ତୁ ବିହାରରେ ବହୁସଂଖ୍ୟକ ଲୋକ ନିଜ ଘରୁ ବାହାରକୁ ଯାଉଛନ୍ତି । ଖୋଲାଖିଲି ବିହାରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ସରକାରଙ୍କ ନିୟମ ଖଣ୍ଡନ କରାଯାଉଛି । ବସରେ ଭର୍ତ୍ତି ହେଇ ଲୋକମାନେ ଯାତ୍ରା କରୁଛନ୍ତି । ଏହି ପ୍ରକାର ଦୃଶ୍ୟ କିନ୍ତୁ ବିହାରର ଜନତା ତଥା ସେଠା ସରକାରଙ୍କ ଉପରେ ଏକ ପ୍ରଶ୍ନବାଚୀ ଉଠାଉଛି । ଯଦି ଏହିଭଳି ଲୋକମାନେ ଭିଡ଼ରେ ଯାତ୍ରା କରନ୍ତି ଓ ତାଲାବନ୍ଦ ପରେ ବି ଘରୁ ବାହାରକୁ ଆସନ୍ତି, ତେବେ ସମ୍ପ୍ରଦାୟ ସଂକ୍ରମଣର ଆଶଙ୍କା ନିଶ୍ଚେ ବଢିବ ଏଥିରେ ସନ୍ଦେହ ନାହିଁ । ଏହା କେବଳ ବିହାର ନୁହେଁ ସମଗ୍ର ଦେଶକୁ ବି ପ୍ରଭାବିତ କରିବ ।

ଲଗାତାର ସରକାରଙ୍କ ତରଫରୁ ନିବେଦନ କରାଯାଉଛି ଯେ ସଙ୍ଗରୋଧ କର, ଭିଡ଼ ଜାଗାକୁ ଯାଅ ନାହିଁ । ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱର ବହୁ ରାଷ୍ଟ୍ର ସହିତ ଭାରତ ସରକାର ମଧ୍ୟ ତାଲାବନ୍ଦ ଓ ସଙ୍ଗରୋଧ ଉପାୟ ଆପଣେଇ ନେଇଛି । ପ୍ରଧାନମନ୍ତ୍ରୀ ହାତ ଯୋଡ଼ି ସାରା ଦେଶବାସୀଙ୍କୁ ନିବେଦନ କରିଛନ୍ତି ଯେ ଅତି ଆବଶ୍ୟକ ନହେଲେ ଘରୁ ବାହାର ନାହିଁ । କାରଣ ଏ ପର୍ଯ୍ୟନ୍ତ କରୋନାଭାଇରସ ସଂକ୍ରମଣ ରୋକିବା ପାଇଁ ସଙ୍ଗରୋଧ ବ୍ୟତୀତ ଆଉ କୌଣସି ଉପାୟ ନାହିଁ ।  ଏଯାଏଁ ନା ଔଷଧ ବାହାରି ପାରିଛି ନା ଟୀକା ଯଦିଓ ବିଶେଷଜ୍ଞ ତଥା ବୈଜ୍ଞାନିକମାନେ ରାତିଦିନ ଏହି କାର୍ଯ୍ୟରେ ହିଁ ବ୍ୟସ୍ତ ଅଛନ୍ତି । କରୋନା ଏବେ ବିଶ୍ଵ ସଙ୍କଟ ପାଲଟି ସାରିଛି । ଉପଯୁକ୍ତ ଚିକିତ୍ସା ଯୋଗୁଁ ମୃତକ ତୁଳନାରେ ଅଧିକ ଲୋକ ଏହି ରୋଗରୁ ସଂପୂର୍ଣ୍ଣ ସୁସ୍ଥ ହୋଇସାରିଲେଣି ଯାହାକୁ ଆମେ ଏଡ଼ାଇ ପାରିବନି, ତଥାପି ଏହାର ସଂକ୍ରମଣ ସହଜ ହୋଇଥିବାରୁ ସରକାର ସମେତ ସାରା ବିଶ୍ଵ ଏବେ ଚିନ୍ତାରେ ।

ଯେତେବେଳେ ଦେଶ ଏହି ଭୟଙ୍କର ଭାଇରସ ପ୍ରକୋପରୁ ଦେଶବାସୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଛି, ବିହାରରୁ ଏଭଳି ଦୃଶ୍ୟ ସତରେ ଭୟଭୀତ କରଉଛି । ଏହି ଦୃଶ୍ୟ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି କରୁଛି । ନିତିଶ କୁମାରଙ୍କ ସରକାର ତଥା ବିହାରର ପୋଲିସ ଏହା ବିରୋଧରେ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ? କାହିଁକି ସରକାର ବସଷ୍ଟାଣ୍ଡ ବନ୍ଦ କରୁନାହାଁନ୍ତି ?

ବିହାରର ଭିଡ଼ ଏବେ ସାରା ଦେଶ ପାଇଁ ଚିନ୍ତାର ବିଷୟ । କାରଣ ଏ ଯାଏଁ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୮ରେ ପହଞ୍ଚିଛି ଓ ସେମାନଙ୍କ ଭିତରୁ ୭ ଜଣ ନିଜର ପ୍ରାଣ ହରାଇ ସାରିଲେଣି । ଯଦିଓ କେବଳ ସରକାର କି ପ୍ରଶାସନ ଉପରେ ଦାୟିତ୍ଵ ଦେଇ ଆମେ ଚିନ୍ତାମୁକ୍ତ ହୋଇପାରିବନି, ନାଗରିକ ହିସାବରେ ଆମର ମଧ୍ୟ କିଛି କର୍ତ୍ତବ୍ୟ ରହିଛି । କେତେବେଳେ ଆମେ ସଚେତନ ହେବା ଆଉ ନିଜ ସହିତ ସାରା ବିଶ୍ଵକୁ ଏ ମହାମାରୀରୁ ରକ୍ଷା କରିବାରେ ସହଯୋଗ ଦେବା !

Leave a Reply

Your email address will not be published. Required fields are marked *