ପୋଲିସ୍ ଖାଇଲେ ୨୭ ଲକ୍ଷ ଟଙ୍କାର ବିରିୟାନୀ, ବର୍ତ୍ତମାନ ବିଲ୍ କିଏ ଦେବ ତାକୁ ନେଇ ଚର୍ଚ୍ଚା !

ସଂସ୍କାର: କ୍ରିକେଟ୍ ଖେଳାଳିଙ୍କୁ ସୁରକ୍ଷାଦେବା ପାଇଁ ନିୟୋଜିତ ହୋଇଥିଲେ ପୋଲିସ୍। କିନ୍ତୁ ସୁରକ୍ଷା ଦେବା ପାଇଁ ନିୟୋଜିତ ହୋଇଥିବା ପୋଲିସ୍ ବାବୁମାନେ ବର୍ତ୍ତମାନ ଏପରି କିଛି କାଣ୍ଡ କରିଛନ୍ତି ଯାହାକୁ ପଢିଲେ ଆପଣ ବି ଆଶ୍ଚର୍ଯ୍ୟ ହେବା ସହିତ ହସି ହସି ଗଡିଯିବେ। ଅନ୍ୟପଟେ ପୋଲିସ୍ ବାବୁମାନଙ୍କ ଏହି କାମ ଦ୍ୱାରା ସେଠାକାର ଅର୍ଥ ମନ୍ତ୍ରାଳୟର ହୋସ ଉଡିଯାଇଛି।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବିଗିଡ଼ିଥିବା ଅର୍ଥ ବ୍ୟବସ୍ଥା ବାବଦରେ ତ ଆପଣ ଅଳ୍ପ ବହୁତେ ଜାଣିଥିବେ। ବର୍ତ୍ତମାନ ପାକିସ୍ତାନ ପୋଲିସକୁ ନେଇ ଏମିତି ଏକ ଖବର ଆସିଛି, ଯାହା ଜାଣିବା ପରେ ପାକିସ୍ତାନ ଅର୍ଥ ମନ୍ତ୍ରାଳୟର ହୋସ ଉଡିଯାଇଛି। କାରଣ ଖେଳାଳିଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସ କର୍ମୀମାନେ ୨୭ ଲକ୍ଷ ଟଙ୍କାର ବିରିୟାନୀ ଖାଇଦେଇଛନ୍ତି। ଆଉ ଏହି ଘଟଣା ବିଷୟରେ ଜଣାପଡିବା ପରେ ଏବେ କିଏ ବିଲ ଭରିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନା ମୁତାବକ ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଖେଳାଳିଙ୍କ ସୁରକ୍ଷା ପାଇଁ ଦାୟିତ୍ୱରେ ଥିବା ପୁଲିସ କର୍ମୀମାନେ ୨୭ ଲକ୍ଷ ଟଙ୍କାର ବିରିୟାନୀ ଖାଇଦେଇଛନ୍ତି।

ନ୍ୟୁଜିଲାଣ୍ଡ ଦଳର ଖେଳାଳିମାନେ ପାକିସ୍ତାନରେ ୭ ଦିନ ରହିଥିବାବେଳେ ସେମାନଙ୍କ ସୁରକ୍ଷା ପାଇଁ ପୋଲିସ୍ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ଆଉ ପୋଲିସ୍ କର୍ମୀମାନେ ନିକଟରେ ଥିବା ଏକ ହୋଟେଲରେ ୭ ଦିନ ଧରି ବିରିୟାନୀ ଖାଇଥିଲେ। ଆଉ ଏହି ୭ ଦିନରେ ସେମାନେ ପ୍ରାୟ ୨୭ ଲକ୍ଷ ଟଙ୍କାର ବିରିୟାନୀ ଖାଇ ଦେଇଥିଲେ। ଯେତେବେଳେ ହୋଟେଲ ପକ୍ଷରୁ ଏହି ବିଲ୍ ପାସ୍ କରିବା ପାଇଁ ଅର୍ଥ ମନ୍ତ୍ରାଳୟ ପାଖକୁ ପଠାଯାଇଥିଲା ସେତେବେଳେ ଏହି କଥା ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏହି ବିଲକୁ ପାସ କରାଯାଇ ନଥିବାବେଳେ ପାକିସ୍ତାନରେ ଏହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ଅନ୍ୟପଟେ ପଡ଼ିଆର ସୁରକ୍ଷା ପାଇଁ ନିୟୋଜିତ ସୁରକ୍ଷାକର୍ମୀଙ୍କ ଖାଇବା ବିଲ ଏଯାଏଁ ଆସିନାହିଁ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଡ୍ୟୁଟି ନାମରେ ଖର୍ଚ୍ଚ ହୋଇଥିବା ଏହି ଖାଇବା ପାଇଁ କିଏ ବିଲ୍ ଦେବେ?

ସୂଚନା ଥାଉ କି ନ୍ୟୁଜିଲାଣ୍ଡ ଦଳ ୧୮ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯାଇଥିଲେ, ଯେଉଁଠାରେ ଦଳକୁ ୩ ଟି ଦିନିକିଆ ସହ ୫ଟି ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଥିଲା। କିନ୍ତୁ ଗତ ଶୁକ୍ରବାର ଦିନ ରାୱଲପିଣ୍ଡିର ପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଟସ୍ ପୂର୍ବରୁ ସୁରକ୍ଷା କାରଣରୁ ନ୍ୟୁଜିଲାଣ୍ଡ ଏହାକୁ ବାତିଲ କରିଥିଲା।

Leave a Reply

Your email address will not be published. Required fields are marked *