ବ୍ରାଜିଲ ସରକାର ଦେଇଛି ଏକ ଅଜବ ନିର୍ଦ୍ଦେଶ । ଶୁକ୍ରବାର ଦିନ ମହିଳାମାନଙ୍କୁ ଗର୍ଭବତୀ ହେବାରେ ବିଳମ୍ବ କରିବାକୁ କହିଛି ସରକାର । ଏପରି ନିର୍ଦ୍ଦେଶ ଦେବା ପଛର ବଡ଼ କାରଣ ହେଉଛି ବ୍ରାଜିଲରେ କରୋନା ସଂକ୍ରମଣର କରାଳ ରୂପ । ହୁହୁ ହେଇ କରୋନା ସଂକ୍ରମଣ ହାର ବଢୁଥିବା ଦେଖି ଦେଶର ମହିଳାମାନଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଅନୁରୋଧ କରିଛନ୍ତି ସରକାର ।
ସୂଚନାଥାଉ ଯେ କରୋନା ସଂକ୍ରମିତ ଦେଶ ଭିତରେ ବ୍ରାଜିଲ ପ୍ରଥମ ସ୍ଥାନରେ ରହିଛି । କେବଳ ପଜିଟିଭ ମାମଲାରେ ନୁହେଁ ବରଂ ଅନ୍ୟ ଦେଶ ତୁଳନାରେ ମୃତ୍ୟୁ ହାର ମଧ୍ୟ ଅଧିକ ରହିଛି ଏଠାରେ । ବ୍ରାଜିଲରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି ଗର୍ଭବତୀ ମହିଳା ଯାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ବ୍ରାଜିଲ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ରାଫାଇଲ ପାରେଣ୍ଟେ ।
ତେବେ କରୋନାର ଏହି ନୂଆ ଷ୍ଟ୍ରେନ୍ ପ୍ରଥମେ ବ୍ରାଜିଲର ମାନାଉସ୍ ସହରରେ ଚିହ୍ନଟ ହୋଇଥିଲା । ଏହା ପରେ ଭୟାନକ ଭାବେ ସାରା ଦେଶରେ ବ୍ୟାପିଗଲା । ଦେଶରେ ସଂକ୍ରମଣ ବୃଦ୍ଧିରେ ଏହା ପ୍ରମୁଖ ମାଧ୍ୟମ ରୂପେ ଭୂମିକା ଗ୍ରହଣ କଲା । କେବଳ ସେତିକି ନୁହେଁ ବର୍ତ୍ତମାନ କରୋନା ଭାଇରସର ନୂଆ ଲକ୍ଷଣ ଯୁବପିଢିଙ୍କୁ ମଧ୍ୟ ବ୍ୟାପକ ମାତ୍ରାରେ ସଂକ୍ରମିତ କରିଛି । ୩୦ ରୁ ୪୦ ବର୍ଷ ମଧ୍ୟରେ ଯୁବପିଢିଙ୍କୁ ଏହା ବ୍ୟାପକ ମାତ୍ରାରେ ବ୍ୟାପିବାରେ ଲାଗିଛି ଯାହା ସରକାର ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଏହାକୁ ନଜରରେ ରଖି ରାଷ୍ଟ୍ରପତି ଜୈର ବୋଲସୋନାରୋ ପୁଣିଥରେ ଦେଶରେ ଲକ୍ଡାଉନ୍ ଜାରି କରିଛନ୍ତି ।