କରୋନା ମହାମାରୀ ଯୋଗୁ ସାରା ଦେଶ ଚିନ୍ତାରେ । କାରଣ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢି ବଢି ଚାଲିଛି ଏବଂ କେନ୍ଦ୍ରଠାରୁ ରାଜ୍ୟ ସମସ୍ତେ ନିଜ ମୁତାବକ ସୁରକ୍ଷା ବ୍ୟବସ୍ଥା କରୁଛନ୍ତି । କିନ୍ତୁ ଏ ସମୟରେ ଲୋକ ସେତେଟା ସଚେତନ ହେଉନାହାନ୍ତି । ଲକଡାଉନ, ସଟଡାଉନ, ଯାବତୀୟ କଟକଣା ସତ୍ତ୍ୱେ ଅନେକ ସ୍ଥାନରେ ଲୋକେ ମାସ୍କ ନପିନ୍ଧି ବାହାରକୁ ବାହାରୁଛନ୍ତି । ୟାଭିତରେ ଝାରଖଣ୍ଡ ସରକାର ନେଇଛନ୍ତି କଡ଼ା ପଦକ୍ଷେପ ।
ଏଣିକି ଝାରଖଣ୍ଡ ଅଧିବାସୀ ମାସ୍କ ନପିନ୍ଧିଲେ ଗଣିବେ ଜରିମାନା । କରୋନା ନିୟମକୁ ନମାନିଲେ, ମାସ୍କ ନପିନ୍ଧିଲେ ଦେବାକୁ ହେଇପାରେ ୧ ଲକ୍ଷ ଟଙ୍କା ଜରିମାନା ଏବଂ ଭୋଗିପାରେ ୨ ବର୍ଷ ଜେଲ । ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ସଂକ୍ରାମକ ରୋଗ ଅର୍ଡିନାନ୍ସ ୨୦୨୦ ଜାରି କରାଯାଇଛି । ଅର୍ଡିନାନ୍ସ ଅନୁଯାୟୀ ସୁରକ୍ଷା ପ୍ରୋଟୋକଲକୁ ଯେଉଁମାନେ ଉଲ୍ଲଂଘନ କରିବେ ବା ମାସ୍କ ନପିନ୍ଧିବେ ସେମାନଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା କରାଯିବ ।
ଏହି ନୂଆ ନିୟମ ଅନୁସାରେ ଆଜିଠାରୁ ଗାଇଡଲାଇନ ଉଲ୍ଲଂଘନକାରୀଙ୍କୁ ଦଣ୍ଡ ଦେବା ଆରମ୍ଭ କରିଦେବ କଥା ହେଲେ ରାସ୍ତାରେ କୌଣସି ଯାଞ୍ଚ କରାଯାଇନାହିଁ । ଅନ୍ୟପକ୍ଷରେ ରାଜଧାନୀ ରାଞ୍ଚି ରାସ୍ତାରେ ବିନା ମାସ୍କରେ ଅନେକ ଲୋକଙ୍କୁ ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ସୋରେନଙ୍କ କ୍ୟାବିନେଟ ୩୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଥିବାବେଳେ ସରକାର ରାଜ୍ୟର ଗୋଟିଏ ନୂଆ ଲଗୋ ମଧ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଗଷ୍ଟ ୧୫ରୁ ଏକକାଳୀନ ଭାବରେ ସାରା ରାଜ୍ୟରେ ଏହାର ବ୍ୟବହାର ହେବ ବୋଲି ସୂଚନା ମିଳିଛି ।