ଆଗ୍ରା ଜିଲ୍ଲାର ଫତେହବାଦ ସହର ପ୍ରତାପପୁରା ଗାଁରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର । ସେହି ଗାଁରେ ରହୁଥିବା ସୁରେନ୍ଦ୍ର ନାମକ ଜଣେ ବ୍ୟକ୍ତି ନିଜ ଘରେ ଶୌଚାଳୟ ପାଇଁ ଏକ ଗାତ ଖୋଳାଉଥିଲେ । ଶୌଚଳୟ ପାଇଁ ଖୋଳା ଯାଇଥିବା ୧୫ ଫୁଟର ଗାତ ନିକଟରେ ମଙ୍ଗଳବାର ଦିନ ତାଙ୍କ ୧୨ ବର୍ଷର ପୁଅ ଅନୁରାଗ ଖେଳୁଥିଲା । ମାତ୍ର ହଠାତ୍ ମାଟି ଧସିଯିବା ଫଳରେ ସେ ଉକ୍ତ ଗାତରେ ଖସି ପଡ଼ିଥିଲା । ଶିଶୁଟିକୁ ବଞ୍ଚାଇବା ପାଇଁ ତା’ର ୨ ଭାଇ ହରିମୋହନ ଏବଂ ଅବିନାଶ ମଧ୍ୟ ଗାତକୁ ପଶିଥିଲେ, ହେଲେ ବିଷାକ୍ତ ଗ୍ୟାସରେ ଶ୍ଵାସରୁଦ୍ଧ ହୋଇ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଏହାପରେ ଶିଶୁଟିର କକା ପୁଅ ଭାଇ ସୋନୁ ମଧ୍ୟ ଗାତକୁ ପଶିଥିଲେ ହେଲେ ବାହାରି ନଥିଲେ ।
ମିଳିଥିବା ସୂଚନା ଅନୁସାରେ ଭାଇକୁ ବଞ୍ଚାଇବାକୁ ଯାଇ ୪ ଜଣ ଗାତକୁ ପଶିଥିଲେ ସତ ହେଲେ କେହି ବାହାରି ନଥିଲେ । ଶେଷରେ ଉକ୍ତ ୪ ଜଣଙ୍କ ଜୀବନ ରକ୍ଷା ପାଇଁ ଜଣେ ପଡ଼ୋଶୀ ମଧ୍ୟ କାଳବିଳମ୍ବ ନକରି ସେହି ଗାତକୁ ପଶିଥିଲେ । ହେଲେ ବିଡମ୍ବନାର ବିଷୟ ଯେ ସେ ବି ବାହାରି ପାରିନଥିଲେ । ଜଣଙ୍କ ପରେ ଜଣେ ବିଷାକ୍ତ ଗ୍ୟାସ୍ର ଶିକାର ହୋଇଥିଲେ ଏବଂ ମୃତ୍ୟୁବରଣ କରିଥିଲେ । ତେବେ ଘଟଣା ପ୍ରଘଟ ହେବାପରେ ଜିଲ୍ଲାପାଳ ମଧ୍ୟ ମୃତକଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି ।

୪ ଭାଇଙ୍କୁ ଗାତ ଭିତରୁ ନଫେରିବା ଦେଖି ପଡ଼ୋଶୀ ଯୁବକ ଯୋଗେଶ ମଧ୍ୟ ଗାତକୁ ଡେଇଁ ପଡ଼ିଥିଲେ । ଯେତେବେଳେ ସେ ମଧ୍ୟ ବାହାରକୁ ବାହାରି ନଥିଲେ ସେ ସମୟରେ ସାରା ଗାଁରେ ଚହଳ ପଡ଼ି ଯାଇଥିଲା । ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହିତ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ଆସି ସମସ୍ତଙ୍କୁ ଗାତରୁ ଉଦ୍ଧାର କରିଥିଲା । ସେତେବେଳକୁ ଅନୁରାଗର ମୃତ୍ୟୁ ଘଟି ସାରିଥିବା ବେଳେ ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା । ସେମାନଙ୍କୁ ଆଗ୍ରା ହସ୍ପିଟାଲ ପଠା ଯାଇଥିଲା ହେଲେ ପ୍ରାୟ ୮୦ କିଲୋମିଟର ରାସ୍ତା ଅତିକ୍ରମ କରୁକରୁ ଅଧା ବାଟରେ ହିଁ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଏସଏସପି କହିଛନ୍ତି ଯେ ଏଭଳି ଦୁଃଖଦ ଘଟଣାରେ ପୀଡ଼ିତ ପରିବାରକୁ ପୋଲିସ ଦ୍ଵାରା ଯଥା ସମ୍ଭବ ସାହାଯ୍ୟ କରାଯାଉଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ମଧ୍ୟ କରାଯାଇଛି ।