ଦୀର୍ଘ ୭ ମାସର ପ୍ରତୀକ୍ଷା ପରେ ସିନେମା ହଲ, ମାର୍କେଟ କମ୍ପ୍ଲେକ୍ସ, ଥିଏଟର୍ସ, ମଲ୍ଟିପ୍ଲେକ୍ସ ଇତ୍ୟାଦି ଆଜି ଖୋଲିବ । କେନ୍ଦ୍ର ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଅନଲକ ୫. ୦ ଗାଇଡ଼ଲାଇନ ନିୟମ ମାନି ସାରା ଦେଶରେ ଅକ୍ଟୋବର ୧୫ ତାରିଖରୁ ଏସବୁ କାର୍ଯ୍ୟକାରୀ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିନ୍ତୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏନେଇ SOP ଜାରି କରିଛନ୍ତି ଯେଉଁଥିରୁ ବିଚ୍ୟୁତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ତରଫରୁ କୌଣସି ଅନୁମତି ମିଳିନଥିବାରୁ ରାଜ୍ୟରେ ଖୋଲିବ ନାହିଁ ସିନେମା ହଲ୍ ।
SOP ସର୍ତ୍ତାବଳୀଗୁଡ଼ିକ ହେଲା :
- ସିନେମା ହଲରେ ୫୦ ପ୍ରତିଶତ ଦର୍ଶକ ବସିପାରିବେ, ୫୦ ପ୍ରତିଶତ ସିଟ୍ ରହିବ
- ହଲ୍ ଭିତରେ ମାସ୍କ ବାଧ୍ୟତାମୂଳକ ରହିବ
- ଦର୍ଶକଙ୍କ ମଧ୍ୟରେ ଅତିକମରେ ୬ ଫୁଟ ଦୂରତା ବଜାୟ ରଖାଯିବ
- କୋରୋନା ବିରୋଧରେ ସଚେତନତାମୂଳକ ଶୋ’ ସିନେମା ଆରମ୍ଭରୁ ଏବଂ ଇଣ୍ଟରଭାଲ ସମୟରେ ଦେଖାଇବାକୁ ବାଧ୍ୟତାମୂଳକ
- ଗୋଟିଏ ଶୋ’ ପରେ ପୁରା ହଲକୁ ସାନିଟାଇଜ କରିବା ବାଧ୍ୟତାମୂଳକ
- ପ୍ରବେଶ ସମୟରେ ଦର୍ଶକଙ୍କର ଥର୍ମାଲ ସ୍କ୍ରିନିଂ ହେବ, ଲକ୍ଷଣ ନଥିଲେ ହିଁ ଏଣ୍ଟ୍ରି ପାଇଁ ଅନୁମତି ମିଳିବ
- ପ୍ରସ୍ଥାନ ସମୟରେ ଧାଡ଼ିରେ ପର୍ଯ୍ୟାୟ କ୍ରମେ ଦର୍ଶକଙ୍କୁ ବାହରକୁ ଛଡ଼ାଯିବ
- ଅନଲାଇନ ବୁକିଂକୁ ପ୍ରାଧାନ୍ୟ ଦିଆଯିବ
- ସିନେମା ହଲ ମଧ୍ୟରେ ପ୍ୟାକଡ ଫୁଡ଼ ହିଁ ମିଳିବ
- ଇଣ୍ଟରଭାଲ ସମୟରେ ଅଧିକ ଦର୍ଶକ ବାହାରକୁ ନବାହାରିବାକୁ ନିର୍ଦ୍ଦେଶ
- ସିନେମାହଲ କର୍ମଚାରୀମାନେ ଗ୍ଲୋଭସ, ମାସ୍କ, ପିପିଇ ପିନ୍ଧିବେ
- କଣ୍ଟାକ୍ଟ ଟ୍ରେସିଂ ପାଇଁ ଦର୍ଶକଙ୍କ ଫୋନ ନମ୍ବର ରଖାଯିବ
- ଆରୋଗ୍ୟ ସେତୁ ଆପ୍ ବ୍ୟବହାର ପାଇଁ ପରାମର୍ଶ
ହଲଗୁଡ଼ିକରେ ୫୦ ପ୍ରତିଶତ ଦର୍ଶକଙ୍କ ପାଇଁ ସିଟ ରହିଲାବେଳେ ଯେଉଁଠାରେ ବସିବାକୁ ଅନୁମତି ନାହିଁ ସେ ସିଟଗୁଡ଼ିକୁ ସ୍ୱତନ୍ତ୍ର ଚିହ୍ନ ଦେବାକୁ କୁହାଯାଇଛି । ସିନେମା ସରିବା ପରେ ଶୌଚାଳୟଗୁଡ଼ିକ ଯେପରି ଭିଡ଼ ନହୁଏ ସେଥିପ୍ରତି ହଲର କର୍ମଚାରୀମାନେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ରହିଛି । ଏହାସହିତ ହଲ ମଧ୍ୟରେ ତାପମାତ୍ରା ୨୪ ରୁ ୩୦ ଡିଗ୍ରୀ ସେଲିସିୟସ ଓ କ୍ରସ ଭେଣ୍ଟିଲେସନର ସୁବିଧା ରଖିବାକୁ ମଧ୍ୟ କୁହାଯାଇଛି ।