ଦିନକୁ ଦିନ ବେକାବୁ ହେବାରେ ଲାଗିଛି କରୋନା ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ିଛି । ଏ ସମୟରେ ଆଜି କିନ୍ତୁ ଓଡ଼ିଶାର କଂଗ୍ରେସ ବରିଷ୍ଠ ବିଧାୟକ ସୁର ରାଉତରାୟ କରୋନାକୁ ନେଇ ଦେଇଛନ୍ତି ଏକ ବଡ଼ ବୟାନ । ତାଙ୍କ କହିବାନୁସାରେ “ସକାଳେ ଉଠି ଗୋଟିଏ ପିଆଜ ପକେଟ୍ରେ ରଖିବେ । ସେ ପିଆଜ ସେମିତି ପକେଟ୍ରେ ପଡ଼ିଥିବ । ଯେତେବେଳେ ଭାତ ଖାଇବେ, ସେ ସମୟରେ ଦୁଇ କୋଲା ରସୁଣ ଚୋବାଇ ଖାଇ ଦେବେ । କରୁଣା ଫରୁଣା କେହି ପାଖକୁ ଆସିବ ନାହିଁ । ଏହାଛଡ଼ା ମନୋବଳ ବି ଦୃଢ଼ କରିବାକୁ ପଡ଼ିବ।”
ଦେଶ ସମେତ ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲି ଥିବା କରୋନା ସଂକ୍ରମଣକୁ ଦେଖି ଏପରି ଟିପ୍ସ ଦେଇଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ । ଗଣମାଧ୍ୟମକୁ ସେ ସ୍ପଷ୍ଟ କହିଛନ୍ତି ଯେ “ମୁଁ ସକାଳୁ ଉଠି ୫ଟି ଗାଁ ବୁଲି ସାରିଲିଣି । ଆମେ କେବଳ ସହରରେ ବାଛୁଛେ । ଗାଁ ଗହଳରେ ଯେମିତି ଯଜ୍ଞ, ମେଳା, ମୌଚ୍ଛବ ଚାଲିବା କଥା ଚାଲିଛି । ଯେତେ ବୁଲିବ କରୋନା ସେତେ ଦୌଡ଼ିବ । ଏଥିପାଇଁ ଷ୍ଟେମିନା ଦରକାର । ନବୀନବାବୁଙ୍କ ଭଳି ଗୋଟିଏ ଘରେ ବସିବା ଉଚିତ ନୁହେଁ । ଷ୍ଟ୍ରଙ୍ଗ- ଲୋକଙ୍କ ପାଖକୁ ଯିବ, ଲୋକଙ୍କ କାମ କରିବ, ମନୋବଳ ବଢ଼ିବ ।
ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ କଟାକ୍ଷ କରି ସେ ଆହୁରି ବି କହିଛନ୍ତି ଯେ “ଘରେ ବସି ଶୋଇ ସୁଇଚ୍ ଚିପି ଦେଇ ଭାଇ-ଭଉଣୀ କହିଦେଲେ ଚଳିବ ନାହିଁ । ବିଜୁ ପଟ୍ଟନାୟକ ସିଧା ସ୍ପଟ୍କୁ ଯାଉଥିଲେ । ଘର ପୋଡ଼ିଗଲେ କିମ୍ବା ବନ୍ୟା ହେଲେ ସେ ଘଟଣାସ୍ଥଳକୁ ନିଜେ ଯାଉଥିଲେ । ବର୍ତ୍ତମାନ ରାଜ୍ୟରେ ବିପଦ ପଡ଼ିଛି, ଘର ଛାଡ଼ି ରାଇଜ ମୁଖିଆଙ୍କୁ ଜାଗା ଉପରକୁ ଯିବା ଉଚିତ । ସେଠାରେ ଛିଡ଼ା ହୋଇଗଲେ ଅଫିସର, ପୋଲିସ, ମେଡ଼ିକାଲ୍ କର୍ମଚାରୀ ତଥା ଜନସାଧାରଣ ସମସ୍ତଙ୍କ ମନବଳ ବଢ଼ିଯିବ ।”