କରୋନା ଭାଇରସରେ ଅନେକ ଲୋକଙ୍କ ପ୍ରାଣ ଗଲାଣି । ତାମିଲନାଡୁ କନ୍ୟାକୁମାରୀର କଂଗ୍ରେସ ସାଂସଦ ବସନ୍ତ କୁମାର ବି ଏଥିରୁ ନିସ୍ତାର ପାଇଲେ ନାହିଁ । ଆଜ୍ଞା ହଁ, ଅଗଷ୍ଟ ୧୦ ତାରିଖ ଦିନ ସାଂସଦ ବସନ୍ତ କୁମାର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ତାଙ୍କର ପରଲୋକ ହୋଇଯାଇଛି ।
ସୂଚନା ଅନୁସାରେ ଚିକିତ୍ସା ସମୟରେ ସାଂସଦଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ତେଣୁ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖା ଯାଇଥିଲା । ତାମିଲନାଡୁ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଥିବା ସହିତ ସେ ଥିଲେ ଜଣେ ପ୍ରଖ୍ୟାତ ବ୍ୟବସାୟୀ ଏବଂ ପ୍ରସିଦ୍ଧ ରିଟେଲ ଚେନ ଭସନ୍ଥ ଆଣ୍ଡ କୋ’ର ପ୍ରତିଷ୍ଠାତା । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା ।
ଆପୋଲୋ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ସାଂସଦଙ୍କୁ କୋଭିଡ଼ ନିମୋନିଆ ପାଇଁ ଗୁରୁତର ଚିକିତ୍ସା ୟୁନିଟରେ ଚିକିତ୍ସା କରାଯାଇଥିଲା । ସମସ୍ତ ସକ୍ରିୟ ଚିକିତ୍ସା ବ୍ୟବସ୍ଥା ସତ୍ତ୍ୱେ କୋଭିଡ଼ର ଜଟିଳତା ହେତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା କ୍ରମେ ଖରାପ ହେବାକୁ ଲାଗିଲା ଓ ଆଜି ତାଙ୍କର ଦେହାନ୍ତ ହୋଇଗଲା ।
ଦୁଃଖ ପ୍ରକାଶ କରି କଂଗ୍ରେସ ଏକ ଟ୍ଵିଟରେ ଲେଖିଛନ୍ତି ଯେ ବସନ୍ତ କୁମାରଙ୍କ ଅକାଳ ବିୟୋଗରେ ଆମେ ଗଭୀର ଦୁଃଖିତ । ସେ ଜଣେ ଏକନିଷ୍ଠ କଂଗ୍ରେସ କର୍ମୀ, ଜନପ୍ରିୟ ନେତା ତଥା ପ୍ରିୟ ସାଂସଦ ଥିଲେ । ତାଙ୍କୁ କଂଗ୍ରେସ ଦଳର ସମସ୍ତ ସଦସ୍ୟ ତଥା ତାଙ୍କ ଅନୁସରଣକାରୀ ତାଙ୍କୁ ନିଶ୍ଚେ ଝୁରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମବେଦନା ଜଣାଇ ଟ୍ଵିଟ କରି କହିଛନ୍ତି ଯେ ବ୍ୟବସାୟ ତଥା ସାମାଜିକ ସେବା ପ୍ରୟାସରେ ତାଙ୍କର ସଫଳତା ଉଲ୍ଲେଖନୀୟ ଥିଲା । ତାଙ୍କ ସହିତ ମୋର କଥାବାର୍ତ୍ତା ସମୟରେ ମୁଁ ତାମିଲନାଡୁର ଅଗ୍ରଗତି ପ୍ରତି ତାଙ୍କର ଆଗ୍ରହ ଦେଖିଥିଲି ।
ଅନେକ ବିଶିଷ୍ଟ ଲୋକ ବସନ୍ତ କୁମାରଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତେବେ ସେ ସାଂସଦ ହେବା ପୂର୍ବରୁ ଦୁଇଥର ବିଧାୟକ ମଧ୍ୟ ହେଇଥିଲେ । ଏହାସହିତ ତାଙ୍କ ନାମରେ ବସନ୍ତ ଟିଭି ନାମକ ଏକ ସ୍ୟାଟେଳାଇଟ ଚ୍ୟାନେଲ ବି ରହିଥିଲା ।