ଜଣେ ଦିବ୍ୟାଙ୍ଗ ମହିଳା ପୋଲିସ କର୍ମଚାରୀ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ନିଜ ନିଖୋଜ ନାବାଳିକା ଝିଅକୁ ଖୋଜିବାକୁ କହିଲାରୁ ସ୍ଥାନୀୟ ପୋଲିସ କର୍ମୀ ଗାଡ଼ିରେ ତେଲ ପକେଇ ଦିଅ ବୋଲି କହିଥିଲେ ଏବଂ ବିଧବା ମହିଳା ଜଣଙ୍କ ମଧ୍ୟ ଜଣେ ସମ୍ପର୍କୀୟଙ୍କ ଠାରୁ ଧାର କରି ପୋଲିସ ଗାଡ଼ିରେ ୧୦-୧୫ ହଜାର ଟଙ୍କାର ଡିଜେଲ ପକାଇଛନ୍ତି ।
ତେବେ ଘଟଣାଟି ଏହିପରି । ଗତ ମାସରେ ନାବାଳିକା ଝିଅକୁ ଜଣେ ଅପହରଣ କରି ନେଇଥିବା ବେଳେ ଗତକାଲି ସୋମବାର ଦିନ ଦିବ୍ୟାଙ୍ଗ ବିଧବା ମହିଳା ପୋଲିସକର୍ମୀଙ୍କ ବିରୋଧରେ ଅଭିଯୋଗ କରି କାନପୁର ମୁଖ୍ୟ ପୋଲିସ ପାଖରେ ପହଞ୍ଚିଲେ । କମିଶନରଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣମାଧ୍ୟମକୁ ସେ କହିଥିଲେ ଯେ ଗତ ମାସରେ ସେ ନିଜ ଝିଅ ନିଖୋଜ ଥିବା ନେଇ ଥାନାରେ ମାମଲା ରୁଜ୍ଜୁ କରାଇଥିଲେ । ହେଲେ ପୋଲିସ ତାଙ୍କୁ ସାହାଯ୍ୟ କରୁନି, ଓଲଟି ମାଗୁଛି ଡିଜେଲ ପଇସା ।
କେବଳ ସେତିକି ନୁହେଁ, ଅନେକଥର ତାଙ୍କ ଅପମାନ କରିବା ସହିତ ତାଙ୍କ ଝିଅର ଚରିତ୍ରକୁ ନେଇ ମଧ୍ୟ ପୋଲିସ ଖରାପ କଥା କହିଛି ବୋଲି ବିଧବା ମାଆଙ୍କର ଅଭିଯୋଗ । ତେବେ ମହିଳା କହିଛନ୍ତି ଯେ ଯଦିଓ ସେ କେବେ ପୋଲିସକୁ ଲାଞ୍ଚ ଦେଇନାହାନ୍ତି କିନ୍ତୁ ଅନେକଥର ତାଙ୍କ ଗାଡ଼ିରେ ତେଲ ପକାଇ ଦେଇଛନ୍ତି । ତାଙ୍କ ପାଖରେ ଟଙ୍କା ନଥିବାରୁ ସେ ପୁଣି ନିଜର ଜଣେ ସମ୍ପର୍କୀୟଙ୍କ ଠାରୁ ଧାର କରିଛନ୍ତି ।
ସେପଟେ ମହିଳାଙ୍କ ଭିଡ଼ିଓ ଭାଇରାଲ ହେବାପରେ କାନପୁର ପୋଲିସ ଟ୍ୱିଟ୍ କରି ଜଣାଇଛି ଯେ ଅଭିଯୋଗ ହୋଇଥିବା ଥାନା ଇନଚାର୍ଜଙ୍କୁ ହଟାଇ ଦିଆଯାଇଛି ଓ ବିଚାର ବିଭାଗୀୟ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଉକ୍ତ ମହିଳାଙ୍କ ଝିଅକୁ ଖୋଜିବାକୁ ୪ଟି ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି ବୋଲି କାନପୁରର ବରିଷ୍ଠ ଥାନା ଅଧିକାରୀ କହିଛନ୍ତି ।