ଆମେରିକାର ଉତ୍ତର-ପୂର୍ବ ଇଣ୍ଡିଆନାରେ ରହୁଥିବା ଜଣେ ୮ ବର୍ଷର ଝିଅ ନିଜ ଘରେ ତାର ହୋମୱାର୍କ କରୁଥିଲା । ତା’ପରେ ହଠାତ୍ ଏକ ଗୁଳି କାନ୍ଥ କଣା କରି ତା ମୁଣ୍ଡରେ ବାଜିଲା । ସଙ୍ଗେ ସଙ୍ଗେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଯେ ପୋଲିସ ଏଯାଏଁ ଜାଣିପାରୁନି ଗୁଳି କିଏ ଚଳାଇଥିଲା । ତେବେ ପୋଲିସ ଅଭିଯୁକ୍ତକୁ ଖୋଜୁଛି ।
ଇଷ୍ଟ ଶିକାଗୋ ପୋଲିସ ବିଭାଗର ଡେପୁଟି ଚିଫ୍ ଜୋସ୍ ରିଭେରା କହିଛନ୍ତି ଯେ ମାମଲାର ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ଝିଅଟିର ଘର ବାହାରେ କେହି ଜଣେ ବ୍ୟକ୍ତି ଗୁଳି ଚଳାଇଥିଲା ଯାହା ଆସି ସିଧା ଝିଅର ମୁଣ୍ଡରେ ବାଜିଥିଲା । ରିଭେରାଙ୍କ କହିବାନୁଯାୟୀ ଜାଣିଶୁଣି ଝିଅକୁ ଟାର୍ଗେଟ୍ କରି କେହି ଗୁଳି ଚଳାଇଲା ପରି ଲାଗୁନି ।
ସୂଚନାଯୋଗ୍ୟ ଯେ ଆମେରିକାରେ ପ୍ରାୟ ପ୍ରତିଦିନ ଗୁଳି ଚଳାଇବା ନେଇ ଖବର ସାମ୍ନାକୁ ଆସୁଛି । ୩ ଦିନ ପୂର୍ବେ ଆମେରିକାର ହାଷ୍ଟନ୍ ସ୍ଥିତ ଏକ ଆପାର୍ଟମେଣ୍ଟରେ ଗୁଳି ବିନିମୟରେ ଜଣେ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା । ହାଷ୍ଟନ୍ ପୋଲିସ୍ ମୁଖ୍ୟ ଆର୍ଟ ଏସବେଡ଼ି ପୀଡିତାଙ୍କୁ ଚିହ୍ନଟ କଲେ ଏବଂ ପୀଡ଼ିତାଙ୍କ ନାମ ହରୋଲ୍ଡ ପ୍ରେଷ୍ଟନ୍ ବୋଲି ଜାଣିଲେ । ତେବେ ହରୋଲ୍ଡ ୪୧ ବର୍ଷୀୟ ଜଣେ ପୋଲିସ କର୍ମଚାରୀ ।

ଏସବେଡ଼ି କହିଛନ୍ତି ଯେ ପ୍ରେଷ୍ଟନ୍ ଏବଂ ଅନ୍ୟ ଅଧିକାରୀମାନଙ୍କୁ ଜଣେ ମହିଳା ଫୋନ କରି ଡାକିଥିଲେ । କାରଣ ମହିଳା ଜଣକ ନିଜ ସାମଗ୍ରୀ ନେବାକୁ ଚାହୁଁଥିଲାବେଳେ ଆପାର୍ଟମେଣ୍ଟ ଭିତରକୁ ତାଙ୍କ ସ୍ୱାମୀ ତାଙ୍କୁ ଯିବାକୁ ଦେଉନଥିଲେ । ୧୪ ବର୍ଷର ପୁଅ ତାଙ୍କର ଯେତେବେଳେ କବାଟ ଖୋଲିଦେଲା ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ହାତରେ ଅସ୍ତ୍ର ଦେଖି ସଙ୍ଗେ ସଙ୍ଗେ ଫୋନ କରିଥିଲେ ପୋଲିସକୁ । ସନ୍ଦିଗ୍ଧ ବ୍ୟକ୍ତି ଜଣକ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ ଓ ପ୍ରେଷ୍ଟନ୍ଙ୍କୁ ହତ୍ୟା କରିଥିଲେ । ଏହି ଗୁଳି ବିନିମୟରେ ଜଣେ ପୋଲିସ ଅଧିକାରୀ ଏବଂ ମହିଳାଙ୍କ ପୁଅ ମଧ୍ୟ ଆହତ ହୋଇଥିଲେ ।