କରୋନା ସଂକ୍ରମଣ କାହାକୁ ଛାଡୁନି । ସିନେ ଜଗତର ତାରକା ହୁଅନ୍ତୁ କି ନେତା ମନ୍ତ୍ରୀ, ସମସ୍ତଙ୍କୁ ସେ ନିଜର ଶିକାର ବନେଇ ଚାଲିଛି । ଏବେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ସଂକ୍ରମିତ । ସେ ୨୦୧୨ରୁ ୨୦୧୭ ଯାଏଁ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଳାଇଥିଲେ । ନିଜେ ଟ୍ଵିଟ କରି ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହାସହିତ ସେ ଆହୁରି ବି ଲେଖିଛନ୍ତି ଯେ ଗୋଟିଏ ସପ୍ତାହ ଭିତରେ ତାଙ୍କୁ ଭେଟିଥିବା ସମସ୍ତେ ନିଜକୁ କାରେଣ୍ଟିନ କରିଦିନ୍ତୁ ।
ସୂଚନା ଅନୁଯାୟୀ ଶ୍ରୀଯୁକ୍ତ ପ୍ରଣବଙ୍କୁ ୮୪ ବର୍ଷ । ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ମେଘୱାଲ ଏବଂ ଅମିତାଭ ବଚ୍ଚନଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଟ୍ଵିଟ କରି ଶ୍ରୀଯୁକ୍ତ ପ୍ରଣବ ପରାମର୍ଶ ଦେଇଛନ୍ତି ଯେ ତାଙ୍କ ସଂସ୍ପର୍ଶରେ ଆସିଥିବା ତମାମ ବ୍ୟକ୍ତିମାନେ ନିଜ ନିଜର କୋଭିଡ଼ ଟେଷ୍ଟ କରାଇ ନିଅନ୍ତୁ ।
ସୂଚନା ଥାଉ ଯେ କରୋନା ସଂକ୍ରମଣରେ ବିଶ୍ୱରେ ଭାରତ ବର୍ତ୍ତମାନ ତୃତୀୟ ସ୍ଥାନରେ ରହିଥିବା ବେଳେ ଆମେରିକା ଶୀର୍ଷ ସ୍ଥାନ ଅଧିକାର କରିଛି ଏବଂ ଦ୍ଵିତୀୟରେ ବ୍ରାଜିଲ ରହିଛି । ଏବେ କରୋନା ସଂକ୍ରମଣ ଦେଶରେ ୨୨ ଲକ୍ଷ ଟପି ଯାଇଛି । ଗତ ୨୪ ଘଣ୍ଟାରେ କେବଳ ୬୨,୦୬୪ ସକ୍ରିୟ ମାମଲା ଚିହ୍ନଟ ହୋଇଛି ।