ପ୍ରେମ ଭଳି ଏକ ମହାର୍ଘ୍ୟ ଅନୁଭବକୁ ଏଣିକି ମିଛ ବୋଲି ମଣିଲେଣି ଲୋକେ । ଏମିତି କୌଣସି ଦିନ ନାଇଁ ଯେଉଁଦିନ ପ୍ରେମକୁ ନେଇ ଅପରାଧ ଘଟୁନି, କେହି ଜଣେ ଜଣଙ୍କୁ ଧୋକା ଦେଉନି । ତେବେ ପୁଣିଥରେ ସେମିତି ଏକ ମାମଲା ଝାଡ଼ଖଣ୍ଡ ଗୋଡ୍ଡାରୁ ସାମ୍ନାକୁ ଆସିଛି । ଜଣେ ଯୁବତୀ ଫେସବୁକ ମାଧ୍ୟମରେ ପ୍ରେମ କରି ପ୍ରେମିକକୁ ଭେଟିବାକୁ ମୁମ୍ବାଇରୁ ଝାଡ଼ଖଣ୍ଡ ଆସିଥିଲେ । ହେଲେ ପ୍ରେମିକାକୁ ଦେଖିବା କ୍ଷଣି ବିଧା-ଗୋଇଠା ବର୍ଷାଇଲା ପ୍ରେମିକ ଜଣକ ।
ତେବେ ଘଟଣାଟି ଏହିପରି । ୩ ବର୍ଷ ପୂର୍ବେ ଫେସବୁକରେ ଏକ ଲାଇକରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା । ଆଉ ତା’ପରେ ନମ୍ବର ଦିଆନିଆ, ପରେ ତାହା ପ୍ରେମରେ ପରିଣତ ହୋଇଥିଲା । ଫେସବୁକ ଜରିଆରେ ପ୍ରେମ ହେବା ପରେ ପ୍ରେମିକକୁ ଦେଖା କରିବାକୁ ସବୁଦିନ ପାଇଁ ନିଜ ଘର ଛାଡ଼ି ପଳାଇ ଆସିଥିଲା ପ୍ରେମିକା ଜଣକ ପ୍ରେମିକର ସହରକୁ । ହେଲେ କିଏ ଜାଣିଥିଲା ଯାହା ପାଇଁ ସେ ଏତେ ତ୍ୟାଗ କଲା ସେ ତାକୁ ହିଁ ତ୍ୟାଗ କରି ତା’ ପ୍ରେମକୁ ଅପଦସ୍ତ କରିବ ବିଚ୍ ରାସ୍ତା ଉପରେ ! ବିଚ୍ ରାସ୍ତାରେ ନିଜ ପ୍ରେମର ଦ୍ୱାହି ଦେଉଥିବାବେଳେ ଅତି ନିର୍ମମ ଭାବରେ ମାଡ଼ ମାରିଚାଲିଥିଲା ପ୍ରେମିକ ଅଭିଯୁକ୍ତ ଅଭିଷେକ କୁମାର ।
ସେତିକିରେ ସରିନଥିଲା ପ୍ରତାରଣା । ମାଡ଼ ମାରି ସାରିଲାପରେ ପ୍ରେମିକାଠାରୁ ନଗଦ ଦେଢ଼ ଲକ୍ଷ ଟଙ୍କା ସହିତ ସାଙ୍ଗରେ ଆଣିଥିବା ସୁନାଗହଣା ନେଇ ଚମ୍ପଟ ମାରିଛି ଅଭିଯୁକ୍ତ ପ୍ରେମିକ । ତେବେ ମିଳିଥିବା ସୂଚନା ଅନୁସାରେ ଯୁବତୀଙ୍କ ଘର ଝାଡ଼ଖଣ୍ଡ ସିମଡେଗାରେ ହୋଇଥିବାବେଳେ ସେ ମୁମ୍ବାଇରେ ରହି ଚାକିରି କରନ୍ତି । ପ୍ରେମ ପାଇଁ କିନ୍ତୁ ମୁମ୍ବାଇରୁ ଝାଡ଼ଖଣ୍ଡ ଆସିଥିଲେ ଯୁବତୀ । ପ୍ରେମିକକୁ ବିବାହ କରି ସଂସାର ଗଢ଼ିବେ ଦେଖିଥିଲେ ସ୍ଵପ୍ନ ।