ତାଲିବାନ ଶାସନରେ କେମିତି ଅଛନ୍ତି ଆଫଗାନିସ୍ତାନର ମହିଳାମାନେ, ସ୍ଥିତି ସାଙ୍ଘାତିକ

ସଂସ୍କାର : ଆତଙ୍କୀ ତାଲିବାନମାନେ ଆଫଗାନିସ୍ତାନର ଶାସନ ଭାର ନେବା ପରେ ବର୍ତ୍ତମାନ ବିଭିନ୍ନ କଟକଣା ଲାଗୁ କରିଛନ୍ତି। ବିଶେଷ କରି ସେମାନେ ଆଫଗାନର ମହିଳାଙ୍କ ଉପରେ କଡ଼ କଟକଣା ଲାଗୁ କରିଛନ୍ତି। ସେଠାରେ ମହିଳାଙ୍କର ଗତିବିଧୀ ଉପରେ କଡ଼ା ନଜର ରଖାଯାଇଛି। ଅନ୍ୟପଟେ ତାଲିବାନମାନେ ଗଠନ କରିଥିବା ସରକାରରେ କୌଣସି ମହିଳାଙ୍କୁ ସ୍ଥାନ ଦେଇନାହାନ୍ତି। ସେହିପରି ତାଲିବାନଙ୍କ ଭୟରେ ଦେଶର ବହୁ ମହିଳା ବିଦେଶରେ ଶରଣ ନେଲେଣି । ତେବେ ବାକି ରହି ଯାଇଥିବା କେତେକ ମହିଳା ବର୍ତ୍ତମାନ ନିଜ ଅଧିକାର ପାଇଁ ସେଠାରେ ଆନ୍ଦୋଳନ କରୁଛନ୍ତି।

ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନର ଶାସନଗାଦିକୁ ଆସିବା ପରେ ତାଲିବାନିମାନେ ସେଠାକାର ମହିଳାଙ୍କର ବଞ୍ଚିବାକୁ କଷ୍ଟଦାୟକ କରିଦେଲେଣି। ମହିଳାମାନଙ୍କ ପାଇଁ ଗୋଟିଏ ପରେ ଗୋଟିଏ କଟକଣା ଲଗାଇ ଚାଲିଛି ତାଲିବାନ। ସବୁ ବିପଦକୁ ଖାତିର ନକରି ନିଜ ଅଧିକାର ବଂଚାଇବାକୁ ବିକ୍ଷୋଭ କରୁଥିବା ଏହି ମହିଳାମାନଙ୍କୁ ଚୁପ୍ କରାଇବାକୁ ସବୁ ପ୍ରକାର ଚେଷ୍ଟା କରୁଛି ଆତଙ୍କୀ ତାଲିବାନ । ଅନ୍ୟପଟେ ଧମକ, ବନ୍ଧୁକ ଓ କଠୋର କଟକଣାକୁ ଖାତିର ନକରି ସେଠାକାର ମହିଳାମାନେ ନିଜର ବିକ୍ଷୋଭ ଜାରି ରଖିଛନ୍ତି । ନିଜ ଅଧିକାର ଓ ସ୍ୱାଧୀନତା ପାଇଁ ସଂଘର୍ଷ ଜାରି ରଖିଛନ୍ତି ଅନେକ ଆଫଗାନି ମହିଳା। ମହିଳାଙ୍କ ଉପରେ ନିର୍ଯାତନାର ଚିତ୍ର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିବାରେ ଲାଗିଛି ।

ସେହିପରି କାବୁଲ ଦଖଲ ପରେ ତାଲିବାନ ସଦସ୍ୟ ମାନେ ଘରକୁ ଘର ବୁଲି ୧୫ରୁ ୪୫ ବର୍ଷର ଝିଅ ଓ ମହିଳାଙ୍କୁ ଖୋଜୁଥିବାର ଖବର ଆସିଥିଲା । ଉଦେଶ୍ୟ ଥିଲା ଏମାନଙ୍କୁ ତାଲିବାନ ଯୋଦ୍ଧାଙ୍କ ସହ ଜୋରଜବରଦସ୍ତ ବିବାହ କରାଇବା। ତାଲିବାନର କ୍ଷମତା ଦଖଲ ପରେ ଦେଶର ବହୁ ପ୍ରମୁଖ ମହିଳା ଦେଶ ଛାଡ଼ି ବିଦେଶରେ ଶରଣ ନେଇଛନ୍ତି । ଏମାନଙ୍କ ମଧ୍ୟରେ ସ୍ୱେଚ୍ଛାସେବୀ, ଗାୟିକା, ଡାକ୍ତର ଅଛନ୍ତି । ଧର୍ମକୁ ଢାଲ କରି ନିଜର ସଙ୍କୀର୍ଣ୍ଣ ମନୋଭାବକୁ ଠିକ୍ ବୋଲି ଦର୍ଶାଇ ଆସିଛି ତାଲିବାନ ।

ସୂଚନାଯୋଗ୍ୟ ଯେ, ୨୦୦୨ ମସିହାରେ ଆଫଗାନିସ୍ତାନରେ ତାଲିବାନ ସରକାରର ପତନ ଘଟିଥିଲା ଓ ହମିଦ କାରଜାଇଙ୍କ ଅଧୀନରେ ନୂଆ ସରକାର ଗଢ଼ାଯାଇଥିଲା । ଏହାପରେ ମହିଳାମାନେ ବାହାରକୁ ବାହାରିବା ସହ ଆଗକୁ ବଢ଼ିବା ଆରମ୍ଭ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ ଓ କଳା କ୍ଷେତ୍ରରେ ଆଖିଦୃଶିଆ ସଫଳତା ମଧ୍ୟ ପାଇଥିଲେ । ହେଲେ ୨୦ ବର୍ଷ ପରେ ଆଫଗାନିସ୍ତାନରେ ପୁଣି ତାଲିବାନର ଦବଦବା । ଆଉ ଏହାର କଷ୍ଟ ସହୁଛନ୍ତି ଦେଶର ଅନେକ ମହିଳା ।

Leave a Reply

Your email address will not be published. Required fields are marked *