ସଂସ୍କାର : ବଢ଼ିବାରେ ଲାଗିଛି ନିତ୍ୟ ବ୍ୟବହାର ଜିନିଷର ଦରଦାମ। ଖାଇବା ତେଲ ଠାରୁ ଆରମ୍ଭ କରି ପନିପରିବା ସହିତ ଗାଡିର ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ହୁ ହୁ ହୋଇ ବଢିଚାଲିଛି। ଏହି ଦରଦାମ ବୃଦ୍ଧି କ୍ରମରେ ପୁଣି ବର୍ତ୍ତମାନ ଆଉ ଏକ ନିତ୍ୟ ବ୍ୟବହାର ଜିନିଷର ଦର ବଢ଼ିବା ପାଇଁ ପ୍ରସ୍ତୁତ ହେଉଛି। ତାହା ହେଲା ଆମେ ପିନ୍ଧୁଥିବା ଡ୍ରେସ୍।
କପା ଦାମରେ ବୃଦ୍ଧି ହେତୁ ଆମର ପିନ୍ଧିବା ପୋଷାକ ଜିନ୍ସ ଓ ଟି-ସାର୍ଟର ମୂଲ୍ୟ ଅତିଶ୍ରୀଘ ବୃଦ୍ଧି ହେବ। ଅନ୍ୟପଟେ ଗତ ବର୍ଷରୁ ଲଗାତାର କପା ଦାମ ବଢି ଚାଲିଛି। ବର୍ତ୍ତମାନ ଏହାର ପ୍ରଭାବ ସାମାନ୍ୟ ଦେଖା ଦେଲାଣି। ପୋଷାକ ନିର୍ମାତା କଂପାନୀ କପା ଦରଦାମ ବୃଦ୍ଧି ସହ ସଂଘର୍ଷ କରି କରି ଶେଷକୁ ଉତ୍ପାଦ ଦାମ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ପୋଷାକ ଉତ୍ପାଦନକାରୀଙ୍କ ଏହି ନିଷ୍ପତ୍ତି ପରେ ରେଡ଼ିମେଡ଼ ପୋଷାକ ଭାରତରେ ମହଙ୍ଗା ହେବ। ଇଣ୍ଡିଆନ୍ ଟେରେନ୍ ଏବଂ ରେମଣ୍ଡ୍ ୟୁକୋ ଡେନିମ୍ ଭଳି ବ୍ରାଣ୍ଡ ଅଧିକ ମହଙ୍ଗା ହେବ। ଅନ୍ୟପଟେ ଅନେକ ଅନ୍ତବସ୍ତ୍ର ବ୍ରାଣ୍ଡ ନିଜର ମୂଲ୍ୟ ବୃଦ୍ଧି କରିସାରିଲେଣି। ଅନ୍ତବସ୍ତ୍ର ବ୍ରାଣ୍ଡ ଏନାମୋର ସିଇଓ ଶେଖର ତିୱାରୀ କହିଛନ୍ତି ଯେ କପା ଓ ସୁତା ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ତାଙ୍କ କମ୍ପାନୀ ଅନ୍ତବସ୍ତ୍ର ମୂଲ୍ୟ ବୃଦ୍ଧି କରିଛି।
ସେହିପରି କୋଭିଡ ମହାମାରୀ ହେତୁ ଚାହିଦା ମଧ୍ୟ ହ୍ରାସ ପାଇଛି। ତେଣୁ କପା ମୂଲ୍ୟରେ ଦ୍ରୁତ ଗତିରେ ବୃଦ୍ଧି ସେମାନଙ୍କ ବ୍ୟବସାୟକୁ ପ୍ରଭାବ ପକାଇଛି। କିନ୍ତୁ ବର୍ତ୍ତମାନ ପୋଷାକର ଚାହିଦା ପାର୍ବଣ ଋତୁରେ ସୁଧୁରିବା ପରି ମନେ ହେଉଛି।ତେଣୁ ପୋଷାକ ନିର୍ମାତାମାନେ କହିଛନ୍ତି ଯେ ସେମାନେ ଆଉ କ୍ଷତି ସହିବାକୁ ସ୍ଥିତିରେ ନାହାଁନ୍ତି, ଏକମାତ୍ର ସମାଧାନ ହେଉଛି ରେଡ଼ିମେଡ଼ ପୋଷାକର ମୂଲ୍ୟ ବୃଦ୍ଧି କରିବା। ତେଣୁ ପାର୍ବଣ ରୁତୁରେ କପଡାର ମୂଲ୍ୟ ବୃଦ୍ଧି କରାଯିବ।
ଆନ୍ତର୍ଜାତୀୟ ତଥା ଜାତୀୟ ବ୍ରାଣ୍ଡକୁ ଡେନିମ୍ ଯୋଗାଉଥିବା ଡେନିମ୍ ନିର୍ମାତା ରେମଣ୍ଡ୍ ୟୁକୋ ଡେନିମ୍ ବର୍ତ୍ତମାନ ମୂଲ୍ୟ ବୃଦ୍ଧି ଉପରେ ଜୋର ଦେଉଛି। ଡେନିମରେ କପା ସର୍ବାଧିକ ବ୍ୟବହୃତ ହୁଏ। ଡେନିମ୍ ଉତ୍ପାଦନ ଅଧା କପା ବ୍ୟବହୃତ ହୁଏ। ଅନ୍ୟାନ୍ୟ ପୋଷାକ ଉତ୍ପାଦ ଯେପରିକି ଟି-ସାର୍ଟରେ ୪୦-୫୦ ପ୍ରତିଶତ କପା ଏବଂ ଅନ୍ତବସ୍ତ୍ରରେ ୧୦-୨୦ ପ୍ରତିଶତ ସୁତୀ ରହିଥାଏ। ତେଣୁ କପା ବୃଦ୍ଧି ହେତୁ ପୋଷାକର ଦାମ ବଢିବ ବୋଲି ବିଭିନ୍ନ ପୋଷାକ ତିଆରି କଂପାନୀ ସୂଚନା ଦେଇଛନ୍ତି।