ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ ହିଂସା ଅଭିଯୋଗ ସାମ୍ନାକୁ ଆସିବା ପରେ ସାଂସଦ ଅନୁଭବ ମହାନ୍ତିଙ୍କୁ ଦଳରୁ ବହିଷ୍କାର କରାଯାଉ ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ମାନବିକ ଦୃଷ୍ଟି କୋଣରୁ ନିଜେ ଅନୁଭବ ଇସ୍ତଫା ଦିଅନ୍ତୁ ବୋଲି ବି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।
ଗତ ୪ ତାରିଖ ଦିନ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିବା ଖବରଟି ହେଉଛି ଅଭିନେତ୍ରୀ ବର୍ଷା ନିଜ ସ୍ଵାମୀ ବିଶିଷ୍ଟ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏପଟେ କାହାର ବ୍ୟକ୍ତିଗତ ଘଟଣାରେ ଆମେ ହସ୍ତକ୍ଷେପ କରୁନୁ, ବରଂ ଜନପ୍ରତିନିଧି ଭାବରେ ମହିଳା ମୋର୍ଚ୍ଚା ହସ୍ତକ୍ଷେପ କରୁଛୁ । ରାଜ୍ୟରେ ମହିଳା ଅସୁରକ୍ଷିତ ଯାହାର ଜ୍ଵଳନ୍ତ ଉଦାହରଣ ଅଭିନେତ୍ରୀ ବର୍ଷା ।

ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ କହିବାନୁଯାୟୀ ଯେତେବେଳେ ଆମେ ଓଡ଼ିଶାରେ ମହିଳା ଅସୁରକ୍ଷିତ ବୋଲି କହିଥିଲୁ ମୁଖ୍ୟମନ୍ତ୍ରୀ ତାକୁ ଅସ୍ଵୀକାର କରିଥିଲେ । ହେଲେ ଏବେ ବର୍ଷା ଓ ଅନୁଭବଙ୍କ ପାରିବାରିକ କଥା ଘରୁ ବାହାରି ଦାଣ୍ଡରେ ପଡ଼ିଲାଣି । ଯଦି ଦାବି ପୂରଣ ନହୁଏ ତେବେ ରାଜ୍ୟ ସାରା ଆନ୍ଦୋଳନ ତେଜିବ । ତେବେ ଏନେଇ ସାଂସଦ ମହାନ୍ତି କିମ୍ବା ଦଳ ବିଜେଡ଼ି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।