ସରକାରଙ୍କ ବଡ଼ ନିଷ୍ପତି : ବର୍ଷେ ଯାଏଁ ଜାରି ରହିବ ଲକଡାଉନ କଟକଣା, ନିୟମ ଭାଙ୍ଗିଲେ ୧୦ ହଜାର ଟଙ୍କା ଜରିମାନା ସହିତ ୨ ବର୍ଷ କାରାଦଣ୍ଡ

କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢେଇକୁ ଅବ୍ୟାହତ ରଖିଲେ କେରଳ ସରକାର । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ନେଲେ କଡ଼ା ନିଷ୍ପତ୍ତି । ବର୍ଷକ ପାଇଁ ଜାରି କଲେ ଲକଡାଉନ କଟକଣା । ନୂଆ ଗାଇଡ଼ଲାଇନ ଅନୁଯାୟୀ ଅତି ଆବଶ୍ୟକ ନହେଲେ ଘରୁ ବାହାରିବା ମନା । ଯଦି ବି ବାହାରକୁ ବାହାରିଲେ ତେବେ ମୁଁହରେ ମାସ୍କ, ପକେଟରେ ସାନିଟାଇଜର ଏବଂ ସାମାଜକି ଦୂରତା ନିୟମ ପାଳନ ଅପରିହାର୍ଯ୍ୟ ।

ସୂଚନା ଅନୁଯାୟୀ ଚଳିତ ମାସରୁ ଆସନ୍ତା ବର୍ଷ, ୨୦୨୧ ଜୁଲାଇ ମାସ ଯାଏଁ କେରଳରେ ଲକଡାଉନ କଟକଣା ବଳବତ୍ତର ରହିବ । ଏହି କଟକଣା ଭିତରେ ରାଜ୍ୟବାସୀ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡ଼ଲାଇନ ପାଳନ କରିବାକୁ ବାଧ୍ୟ । ନୂଆ ଗାଇଡ଼ଲାଇନ ଅନୁଯାୟୀ :

  • ଅତି ଜରୁରୀ ନଥିଲେ ଘରୁ ବାହାରିବାକୁ ମନା
  • ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ସର୍ବସାଧାରଣ ସ୍ଥାନରେ ୬ ଫୁଟ ଦୂରତା ରକ୍ଷା କରିବା ବିଧେୟ
  • ସରକାରଙ୍କ ବିନା ଅନୁମତିରେ ସଭା, ସମିତି, ଶୋଭାଯାତ୍ରା, ଧାରଣା କରିପାରିବେ ନାହିଁ
  • ବିବାହ ଉତ୍ସବରେ ଯୋଗ ଦେଇପାରିବେନି ୫୦ ରୁ ଅଧିକ ଲୋକ
  • ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇପାରିବେନି ୨୦ ରୁ ଅଧିକ
  • ସାର୍ବଜନୀକ ସ୍ଥାନରେ ଛେପ ପକାଇବା ମନା
  • ଗ୍ରାହକଙ୍କ ପାଇଁ ଦୋକାନୀ ରଖିବେ ସାନିଟାଇଜର
  • କୌଣସି ବି ବ୍ୟବସାୟୀକ ପ୍ରତିଷ୍ଠାନରେ ୨୦ରୁ ଅଧିକ କର୍ମଚାରୀ ରହିପାରିବେ ନାହିଁ
  • ରାଜ୍ୟ ବାହାରୁ କିମ୍ବା ରାଜ୍ୟକୁ ଆସୁଥିବା ବ୍ୟକ୍ତିଙ୍କୁ ତଥ୍ୟ ଦେବାକୁ ହେବ

ଏତଦବ୍ୟତୀତ କୌଣସି ବ୍ୟକ୍ତି ଯଦି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନୂଆ ଗାଇଡ଼ଲାଇନ କଟକଣାକୁ ଅବମାନନା କରେ ତେବେ ତାଙ୍କ ବିରୋଧରେ ମହାମାରୀ ଆକ୍ଟ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଦେବାକୁ ହେବ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା । ୨ ବର୍ଷ ଜେଲ ଦଣ୍ଡ ବି ଭୋଗିବାକୁ ପଡ଼ିପାରେ ବୋଲି କେରଳ ସରକାର ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *