ନୂଆଦିଲ୍ଲୀ : ଅପ୍ରେଲ ୧୪ରେ ୪ର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି । ମହାମାରୀ କରୋନା ବିରୋଧରେ ଚାଲିଥିବା ଲଢ଼େଇକୁ ପୁଣିଥରେ ୩ ମଇ ଯାଏ ବଢେଇବାକୁ ଆଜି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଆଜି ଦିନ ୧୦ଟା ବେଳେ ମୋଦି ଦେଶବାସୀଙ୍କ ସୁରକ୍ଷାକୁ ନେଇ ଲକଡାଉନ ଅବଧିର ବୃଦ୍ଧି ସମ୍ପର୍କରେ ସୂଚନା ଦେଇଛନ୍ତି ।
ଅପ୍ରେଲ ୨୦ ଯାଏ ଏହି କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ । ଏହି ସମୟସୀମା ମଧ୍ୟରେ ଯଦି ହଟସ୍ପଟ ଚିହ୍ନିତ ସ୍ଥାନଗୁଡ଼ିକରେ କରୋନା ମାମଲା ଆଉ ସୃଷ୍ଟି ନହୁଏ ସେଠାରେ କଟକଣାକୁ ସମାନ୍ୟ କୋହଲ କରାଯିବ ବୋଲି ମୋଦି କହିଛନ୍ତି । ଏହାସହିତ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ଗାଇଡଲାଇନ ଆସନ୍ତାକାଲି ପ୍ରକାଶ କରାଯିବ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ଜିଲ୍ଲା, ରାଜ୍ୟ ଓ ସ୍ଥାନୀୟ ଅଞ୍ଚଳର ସ୍ଥିତି ତୀକ୍ଷ୍ଣ ଭାବେ ସମୀକ୍ଷା କରାଯିବ ଓ ଯେଉଁ ରାଜ୍ୟରେ ଲକଡାଉନ କଟକଣା କଡ଼ାକଡ଼ି ଭାବେ ପାଳନ କରାଯାଉଛି, ସେସବୁ ସ୍ଥାନରେ ନୀତି ସାମାନ୍ୟ କୋହଳ ପାଇଁ ସର୍ତ୍ତ ମୂଳକ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି ।
ଲକଡାଉନର ଏହି ଦ୍ୱିତୀୟ ପର୍ଯ୍ୟାୟ ଅବଧି ୧୯ ଦିନ ରହିଛି । ଅର୍ଥାତ ୧୫ ଅପ୍ରେଲରୁ ଏହା କାର୍ଯ୍ୟକାରୀ ହୋଇ ୩ ମଇ ଯାଏ ରହିବ । ପ୍ରଥମ ପର୍ଯ୍ୟାୟ ଲକଡାଉନ ବେଳେ ପ୍ରାୟ ସବୁ କ୍ଷେତ୍ରରେ କଟକଣା ଲାଗିଥିଲାବେଳେ ଏଥର ଜାନ ବି ଓ ଜାହାନ ବି ନୀତିରେ ଜୀବନ ସହିତ ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ସାରା ଦେଶକୁ ଉଦବୋଧନ ଦେଲାବେଳେ ମୁହଁରେ ମାସ୍କ ବାନ୍ଧି ଆସିଥିଲେ ମୋଦି । ତାହା କୌଣସି ମେଡିସିନ ଦୋକାନରୁ କିଣା ମାସ୍କ ନଥିଲା ବରଂ ନିଜର ଉତ୍ତରୀୟ ଥିଲା ଯଦ୍ୱାରା ନିଜ ନାକ ଓ ପାଟିକୁ ଘୋଡ଼ାଇ ରଖିଥିଲେ ସେ । ମୋଦି ଆଜି କହିଛନ୍ତି ଯେ ୨୧ ଦିନିଆ ଲକଡାଉନ ଯୋଗୁ ଅନେକ ଲୋକ କଷ୍ଟ ସହିଛନ୍ତି । କିଏ ଖାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଆଉ କିଏ ନିଜ ପରିବାରରଠାରୁ ଦୂରରେ ରହିଛି । ତଥାପି ଦେଶବାସୀ କରୋନା ଲଢ଼େଇରେ ନିଜକୁ ସାମିଲ କରି ଲକଡାଉନକୁ ସଫଳ କରିଛନ୍ତି ଓ ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମୋଦି ଜୀ । ସେ ଆହୁରି କହିଛନ୍ତି ଯେ ଦେଶବାସୀଙ୍କ ଧୈର୍ଯ୍ୟ ଓ କଷ୍ଟ ସହିବା ଯୋଗୁ ହିଁ ଦେଶ କିଛି କ୍ଷେତ୍ରରେ କରୋନାକୁ ରୋକିବାରେ ସକ୍ଷମ ହୋଇପାରିଛି । ଅନେକ ରାଜ୍ୟରେ ନୂଆ ବର୍ଷ ଆରମ୍ଭ ହୋଇଛି ଓ ଏ ଉତ୍ସବକୁ ଲୋକମାନେ ଘର ଭିତରେ ରହି ପାଳନ କରିଥିବାରୁ ଧନ୍ୟବାଦ ।
ବିଶ୍ୱରେ କରୋନା ସ୍ଥିତି ଯାହା ସେକଥା ସମସ୍ତେ ଜାଣିଛନ୍ତି । ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ କେମିତି କରୋନାର ମୁକାବିଲା ହେଉଛି ସେକଥା ସମସ୍ତେ ଦେଖୁଛନ୍ତି । ଭାରତରେ ମାତ୍ର ୫୫୦ କରୋନା ଆକ୍ରାନ୍ତ ଥିବାବେଳେ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିଲା ଏବଂ ସ୍ଥିତି ବିଗିଡ଼ିବା ପୂର୍ବରୁ ହିଁ କଟକଣା ଲାଗୁ ହୋଇଥିଲା । ବିଶ୍ୱର ବଡ଼ ବଡ଼ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତର ସ୍ଥିତି ବେଶ ଭଲ ରହିଛି । ମାସେ ଦେଢ଼ ମାସ ପୂର୍ବରୁ କିଛି ଦେଶର ସ୍ଥିତି ଭାରତ ସମକକ୍ଷ ଥିଲା । ହେଲେ ଏହି ସମୟ ସୀମା ମଧ୍ୟରେ ଉକ୍ତ ରାଷ୍ଟ୍ରଗୁଡ଼ିକରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ୩୦ରୁ ୪୦ ଗୁଣ ବଢ଼ି ଯାଇଛି । ହେଲେ ଭାରତ ସମୟ ଥାଉଥାଉ ପଦକ୍ଷେପ ନେଇଥିବାରୁ ଆଜି ସ୍ଥିତି ନିୟନ୍ତ୍ରଣାଧୀନ । ରାଜ୍ୟ ସରକାରମାନେ ମଧ୍ୟ ବହୁ ଦାୟିତ୍ୱବାନ ଭାବେ କାର୍ଯ୍ୟ କରିଛନ୍ତି ।
ତଥାପି କରୋନା ଯେଉଁଭଳି ଭାବେ ବ୍ୟାପୁଛି, ତା’କୁ ଦେଖି ସମସ୍ତେ ଅଧିକ ସତର୍କ ଓ ସବୁ ରାଜ୍ୟ ଲକଡାଉନ ସପକ୍ଷରେ ମତ ଦେଇଛନ୍ତି । ଏମିତିକି ଅନେକ ନାଗରିକ ମଧ୍ୟ ଲକଡାଉନ ବୃଦ୍ଧି ସପକ୍ଷରେ । ତେଣୁ ୩ ମଇ ଯାଏ ଏ ଦ୍ଵିତୀୟ ପର୍ଯ୍ୟାୟର ଲକଡାଉନ ।