ସଂସ୍କାର :- ମାତା ପିତାଙ୍କ ପାଇଁ ସେମାନଙ୍କର ପିଲାମାନେ ଯେ, କେତେ ମହତ୍ଵ ରଖନ୍ତି ତାହା ଆପଣମାନେ ଭଲ ଭାବରେ ଜାଣିଥିବେ। ଯଦି ଜଣେ ଶିଶୁ ତାର ମାତାପିତାଙ୍କ ଆଗରେ ମୃତ୍ୟୁ ମୁଖରେ ପଡିଛି , ତେବେ ତ ସେ ମାତାପିତା ମୃତ୍ୟୁ ମୁଖରୁ ନିଜର ଶିଶୁକୁ ଛଡାଇ ଆଣିବା ପାଇଁ ଯେକୋୖଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ସେ କୌଣସି ଅପରାଧୀ ସାମ୍ନାରେ ହେଉ କିମ୍ବା କୌଣସି ଏକ ବନ୍ୟ ହିଂସ୍ରଜନ୍ତୁ। ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ରାଜ୍ୟରୁ ।
ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ରୁମ ଟାଙ୍କୁରି ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ମା ନିଜର ପାଞ୍ଚ ବର୍ଷର ଝିଅକୁ ବଞ୍ଚାଇବା ପାଇଁ ଚିତାବାଘ ସହିତ ଲଢ଼ିଛନ୍ତି। ଏହି ସାହସୀ ମାଆ ଜଣକ ନିଜର ଶିଶୁକୁ ବଞ୍ଚାଇବା ପାଇଁ ଚିତାବାଘ ସହିତ ବାଡ଼ି ସାହାଯ୍ୟରେ ଲଢ଼େଇ କରିଥିଲେ। ମାଆର ନିଜ ଶିଶୁ ପ୍ରତି କଠୋର ମମତା ଓ ଭଲ ପାଇବାକୁ ସାମ୍ନା ନ କରିପାରି ଚିତାବାଘ ମଧ୍ୟ ଜଂଗଲ ମଧ୍ୟକୁ ଦୌଡି ପଳାଇଲା।
ତେବେ ଆସନ୍ତୁ ଆମେ ସମ୍ପୂର୍ଣ୍ଣ ଘଟଣାକ୍ରମ ବିଷୟରେ ଜାଣିବା। ମହାରାଷ୍ଟ୍ରର ଚନ୍ଦ୍ରପୁର ସହର ନିକଟରେ ଥିବା ଜୁନୋନା ଗ୍ରାମର ଅରଖାନା ମେଶ୍ରମ , ତାଙ୍କର ୫ ବର୍ଷର ଝିଅକୁ ନେଇ ପନିପରିବା ଆଣିବାକୁ ବଣକୁ ଯାଇଥିଲେ। ପନିପରିବା କାଟିବାବେଳେ ଝିଅ ପ୍ରଜାକଟା ତାର ମାଠାରୁ କିଛି ଦୂରରେ ଠିଆ ହୋଇଥିଲା, ମାତ୍ର କିଛି ସମୟ ପରେ ଚିତାବାଘଟି ହଠାତ୍ ସେହି ଝିଅ ଉପରକୁ ଲମ୍ଫନ କରିଥିଲା।
ଚିତାବାଘଟି ଝିଅର ମୁଣ୍ଡକୁ ତାର ଫାଶରେ ପକାଇଥିଲା। ଏହା ଦେଖି ଝିଅଟିର ମା ଦୌଡ଼ି ଯାଇ ଚିତାବାଘ ସହିତ ଲଢ଼େଇ କଲେ । ଝିଅଟିର ମା ଜଣକ ପାଖରେ ପଡ଼ିଥିବା ଏକ ବାଡି ଉଠାଇ ଚିତାବାଘ ଉପରେ ଆକ୍ରମଣ ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ଚିତାବାଘ ଝିଅଟିକୁ ଛାଡି ସେହି ମହିଳାଙ୍କୁ ଆକ୍ରମଣ କଲା। ତେବେ କୌଣସି ପ୍ରକାରରେ ମହିଳା ଜଣକ ଚିତାବାଘର ଆକ୍ରମଣରୁ ନିଜକୁ ରକ୍ଷା କରିଥିଲେ, କିନ୍ତୁ ଚିତାବାଘ ପୁନର୍ବାର ମହିଳାଙ୍କ ପାଖରେ ଥିବା ଝିଅ ଉପରେ ଆକ୍ରମଣ କଲା। ଏହି ଦୃଶ୍ୟ ଦେଖି ମହିଳା ଜଣକ ଚିତାବାଘ ପଛରେ ପଡ଼ି ପୁଣି ଏକ ବାଡ଼ିରେ ଲଗାତାର ସେହି ଚିତାବାଘକୁ ଆକ୍ରମଣ କରିବାକୁ ଲାଗିଲେ। କିନ୍ତୁ ଏଥର ମା’ର ମମତା ଓ ମାଡ଼ ଆଗରେ ହାର ମାନି ଚିତବାଘ ଜଙ୍ଗଲ ଭିତରକୁ ଧାଇଁଲା।
ଅନ୍ୟପଟେ ଚିତାବାଘର ଆକ୍ରମଣରେ ଝିଅଟି ଗୁରୁତର ଆହତ ହୋଇଛି। ଚିତାବାଘର ଆକ୍ରମଣ ଫଳରେ ଝିଅଟିର ମୁହଁ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ମହିଳା ଜଣକ ତୁରନ୍ତ ଝିଅକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଆହତ ଝିଅକୁ ନାଗପୁର ସରକାରୀ ଡାକ୍ତରଖାନାକୁ ପଠାଯାଇଛି ଯେଉଁଠାରେ ସେ ଚିକିତ୍ସିତ ହେଉଛି। ତେବେ ଆହତହୋଇଥିବା ଝିଅର ଅବସ୍ଥା ବିପଦରୁ ବାହାରିଛି ବୋଲି ଡାକ୍ତର କହିଛନ୍ତି।