ନ୍ୟୁୟର୍କ : ଆମେରିକାର ନ୍ୟୁୟର୍କରୁ ଆସିଛି ଭୟଭୀତ କଲାଭଳି ଚିତ୍ର । କରୋନାଭାଇରସ କାରଣରୁ ଏଠାରେ ଦିନକୁ ଦିନ ଅବସ୍ଥା ଖରାପ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ହାରାହାରି ୫୦୦ରୁ ଅଧିକ ଲୋକ ମରୁଛନ୍ତି । ଏଭଳି ପରିସ୍ଥିତିରେ ଶବଗୁଡିକର ଗଦା ତିଆରି ହୋଇଯାଇଛି । ତେଣୁ ସେଗୁଡିକୁ ଏକତ୍ର କବରରେ ସମାଧି ଦିଆଯାଉଛି ଯାହାର ଚିତ୍ର ସୋସିଆଲ ମିଡିଆରେ କ୍ରମାଗତ ଭାବରେ ଭାଇରାଲ ହେବାରେ ଲାଗିଛି ।
ବିବିସି ନ୍ୟୁଜ ଅନୁଯାୟୀ, ହାର୍ଟ ଦ୍ୱୀପରେ ଏପରି ଲୋକଙ୍କୁ ସମାଧି ଦିଆଯାଉଛି ଯେଉଁମାନଙ୍କର ନିଜର ବୋଲି ଦୁନିଆରେ କେହି ନାହାନ୍ତି । ବଡ଼ ବଡ଼ କବର ଖୋଳାଯାଉଥିବାର ଚିତ୍ରରେ ଦେଖିବାକୁ ମିଳୁଛି । ପୂର୍ବରୁ ଏଠାରେ ସପ୍ତାହରେ କେବଳ ଗୋଟିଏ ଦିନ କବର ଖୋଳା ଯାଉଥିଲା । କିନ୍ତୁ ବର୍ତ୍ତମାନ ସେ ଗୋଟିଏ ଦିନ ପାଞ୍ଚ ଦିନକୁ ବଢିଛି । ପୂର୍ବରୁ ଏହି କାମକୁ ସହରର ଜେଲଗୁଡ଼ିକରେ ବନ୍ଦୀ ଥିବା କଏଦୀମାନେ କରୁଥିଲେ କିନ୍ତୁ ବର୍ତ୍ତମାନ ଶବ ସଂଖ୍ୟା ଏତେ ବଢି ଯାଇଛି ଯେ କବର ଖୋଳିବା ପାଇଁ ବାହାରୁ କଣ୍ଟ୍ରାକ୍ଟରମାନଙ୍କୁ ଡକାଯାଇଛି ।

କରୋନାଭାଇରସ ଯୋଗୁଁ ହୋଇଥିବା ମୃତ୍ୟୁରେ ଏକାକୀ ନ୍ୟୁୟର୍କ ଦୁନିଆର ସମସ୍ତ ଦେଶକୁ ପଛରେ ପକେଇ ଦେଇଛି । ଏପର୍ଯ୍ୟନ୍ତ ଏଠାରେ ୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଛନ୍ତି । ଗୁରୁବାର ଦିନ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୧୦ ହଜାରକୁ ବୃଦ୍ଧି ପାଇ ବର୍ତ୍ତମାନ ଏହା ୧ ଲକ୍ଷ ୬୦ ହଜାରରେ ପହଞ୍ଚିଛି । ଆମେରିକାରେ ଏପର୍ଯ୍ୟନ୍ତ ୧୬,୫୦୦ ଲୋକଙ୍କର ମୃତ୍ୟୁ ହୋଇସାରିଛି ଯେତେବେଳେ ୪ ଲକ୍ଷ ୬୨ ହଜାର କରୋନା ରୋଗୀ ଏଠାରେ ବର୍ତ୍ତମାନ ଅଛନ୍ତି ।
ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଲର୍ଜି ଆଣ୍ଡ ଇନଫେସକସସ ଡିଜିଜର ନିର୍ଦ୍ଦେଶକ ଡାକ୍ତର ଏନ୍ଥୋନୀ ଫଉସି କହିଛନ୍ତି ଯେ ଆମେରିକା ନେଇଥିବା ପଦକ୍ଷେପ ବର୍ତ୍ତମାନ କାମ କରିବା ଆରମ୍ଭ କରିଛି ଏବଂ ଏଭଳି ପରିସ୍ଥିତିରେ ଏଠାରେ ୨ ଲକ୍ଷ ୪୦ ହଜାର ନୁହେଁ, ବରଂ ୬୦ ହଜାର ଲୋକଙ୍କ ମୃତ୍ୟୁ ହୋଇପାରେ । ସାମାଜିକ ଦୂରତା (ସୋସିଆଲ ଡିଷ୍ଟାନ୍ସ) ଏବଂ ତାଲାବନ୍ଦ (ଲକଡାଉନ)ର ପ୍ରଭାବ ଏବେ ଦେଖାଯାଉଛି । କରୋନାକୁ ପରାସ୍ତ କରିବାକୁ ନେଇଥିବା ପଦକ୍ଷେପ ବର୍ତ୍ତମାନ ତାର ପ୍ରଭାବ ଦେଖାଉଛି ବୋଲି ଡାକ୍ତର ଏନ୍ଥୋନୀ କହିଛନ୍ତି ଯିଏ କି ହ୍ୱାଇଟ ହାଉସରେ କରୋନାଭାଇରସ ଟାସ୍କ ଫୋର୍ସର ମଧ୍ୟ ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ।