ଦିଲ୍ଲୀ ମସଜିଦ ୭ ଜଣଙ୍କ ଜୀବନ ନେଲା, ୨୪ ଜଣ କରୋନା ପଜିଟିଭ, ପଢ଼ନ୍ତୁ କ’ଣ ଥିଲା ଘଟଣା

ନୂଆଦିଲ୍ଲୀ : ଦିଲ୍ଲୀର ନିଜାମୁଦ୍ଦିନ୍‌ ମସଜିଦରେ ଆୟୋଜିତ ଏକ ଧାର୍ମିକ ସମ୍ମିଳନୀ ବଢାଇ ଦେଇଛି ବିପଦ । ସମ୍ମିଳନୀରେ ଯୋଗ ଦେଇଥିବା ୩୦୦ ଜଣଙ୍କ ପାଖରେ କରୋନା ଜନିତ ଲକ୍ଷଣ ଦେଖିବାକୁ ମିଳିଥିବାବେଳେ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଉ ଘନେଇଥିବା ବିପଦ ୭ ଜଣଙ୍କ ଜୀବନ ବି ନେଇ ସାରିଲାଣି । ମସଜିଦକୁ ସିଲ୍‌ କରା ଦିଆଯାଇଛି । ଏହାସହିତ ୮୫୦ ଲୋକଙ୍କୁ ବସ ସହାୟତାରେ ସହରର ଭିନ୍ନ ଭିନ୍ନ ଜାଗାରେ ସଙ୍ଗରୋଧ କରି ରଖାଯାଇଛି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ଏହି ସୂଚନା ଦେବା ସହିତ ଏହାକୁ ଏକ ଅକ୍ଷମଣୀୟ ଅପରାଧ ବୋଲି କହିଛନ୍ତି ।

ଶହ ଶହ ଜୀବନକୁ ବିପଦରେ ପକାଇଥିବା ଏହି କାର୍ଯ୍ୟକ୍ରମର ଆୟୋଜକଙ୍କ ନାଁରେ ମାମଲା ରୁଜ୍ଜୁ ହେଉ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଅନୁଯାୟୀ ସାମାଜିକ ଦୂରତା ଗାଇଡ୍‌ଲାଇନ୍‌କୁ ଅମାନ୍ୟ କରି ଶତାଧିକ ବ୍ୟକ୍ତି ଏହି ମସଜିଦ ପରିସରରେ ଥିବା ୬ ମହଲା ଡୋର୍ମିଟୋରିରେ ରହୁଥିଲେ ।

ଦିଲ୍ଲୀ ପୋଲିସ ଦାବି କରିଛି ଯେ ସେମାନେ ମସଜିଦ କମିଟିକୁ ଦୁଇ ଥର ନୋଟିସ ପଠାଇଥିଲେ ମଧ୍ୟ ସେମାନେ ସେମାନଙ୍କର ଏକତ୍ରିତ ହେବା କାର୍ଯ୍ୟକୁ ବନ୍ଦ କରିନାହାନ୍ତି । ମାର୍ଚ୍ଚ ୨୩ରେ ଥରେ ଓ ମାର୍ଚ୍ଚ ୨୮ରେ ଦ୍ଵିତୀୟ ଥର ଏଥିନେଇ ନୋଟିସ ପଠା ଯାଇଥିଲା । ମସଜିଦ କମିଟି କହିଛି ଯେ ମାର୍ଚ୍ଚ ୨୩ରେ ସେମାନେ ପୋଲିସ ନିକଟକୁ ଏକ ଚିଠି ଲେଖି ଯାନବାହନ ପାଇଁ ଅନୁମତି ମାଗିଥିଲେ ଯଦ୍ୱାରା ଲୋକଙ୍କୁ ସେମାନଙ୍କ ରାଜ୍ୟକୁ ପଠା ଯାଇପାରିବ । ମାର୍ଚ୍ଚ ୨୩ରେ ମାର୍କାଜରୁ ପ୍ରାୟ ୧୫୦୦ ଲୋକଙ୍କୁ ନିଜ ନିଜ ରାଜ୍ୟକୁ ପଠେଇ ଦିଆଯାଇଥିଲା  ଓ ସେମାନଙ୍କ ମଧ୍ୟରୁ କେତେଜଣ କରୋନାଭାଇରସ ପଜିଟିଭ ଥାଇପାରନ୍ତି ତାହା ସ୍ପଷ୍ଟ ହୋଇ ନାହିଁ ବୋଲି ସୂଚନା ମିଳିଛି ।  

ମାର୍କାଜ ମସଜିଦ ପକ୍ଷରୁ ମୌଲାନା ୟୁସୁଫଙ୍କ ଦ୍ୱାରା ଲଜପତ ନଗର ଏସିପି ଅତୁଲ କୁମାରଙ୍କୁ ଦିଆଯାଇଥିବା ଏକ ଚିଠିରେ ଦର୍ଶାଯାଇଛି ଯେ କୌଣସି ନୂଆଙ୍କୁ ପ୍ରବେଶ କରାଯାଇ ନାହିଁ କି ସ୍ଥାନକୁ ମରାମତି ପାଇଁ ଉଦ୍ୟମ ବି କରାଯାଉ ନାହିଁ ଯେତେବେଳେ କି ଜନତା କର୍ଫ୍ୟୁ ପରେ ତାକୁ ତାଲା ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିଠିରେ ଉଲ୍ଲେଖ କରାଯାଇଛି ଯେ ନିଜାମୁଦ୍ଦିନରେ ଚାଲିଥିବା ପରିସ୍ଥିତି ବିଷୟରେ ଦିଲ୍ଲୀ ସରକାର ଜାଣିଥିଲେ ।

Leave a Reply

Your email address will not be published. Required fields are marked *