କୃଷକଙ୍କ ସମସ୍ୟା ନେଇ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଉଛି କୃଷକ ଏବଂ ଶ୍ରମିକ ସଂଗଠନ । ତେବେ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ଭିଡ଼ିଓ ଜାରି କରି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଯେ ଓଡ଼ିଶାର ସବୁ ଜିଲ୍ଲାରେ ଏହି ବନ୍ଦକୁ କଂଗ୍ରେସ ଦଳ ତରଫରୁ ସମର୍ଥନ କରାଯିବ । ତେଣୁ ପ୍ରତ୍ୟେକ ଜିଲ୍ଲାର କଂଗ୍ରେସ ସଭାପତିମାନଙ୍କୁ ବନ୍ଦ ପାଳନରେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି । ଏହା ଦେଶର ଏକ ସମସ୍ୟା ଓ ଚାଷୀ ଭାଇମାନଙ୍କର ସମସ୍ୟା।
ଏହାସହିତ ଶ୍ରୀ ପଟ୍ଟନାୟକ ଆହୁରି ବି କହିଛନ୍ତି ଯେ କୃଷକ ଭାଇମାନଙ୍କ ସମସ୍ୟା ଅର୍ଥାତ ଦେଶର ସମସ୍ୟା । ଦେଶର କୃଷକ ସଂଗଠନ ଏବଂ ଆଇଓଟିସି ଶ୍ରମିକ ସଂଗଠନ ମିଳିତ ଆନୁକୁଲ୍ୟରେ ଆସନ୍ତାକାଲି ଏହି ଭାରତ ବନ୍ଦ ଡାକରା ଦିଆଯିବ । କେନ୍ଦ୍ର ସରକାର ପାସ୍ କରିଥିବା ୩ ଟି କୃଷି ବିଲ୍ ବିରୋଧରେ ଏହି ବନ୍ଦ ଡାକରା ।
ସୂଚନାଥାଉ ଯେ ଭିଡ଼ିଓ ଜାରି କରି ପିସିସି ସଭାପତି ଶ୍ରୀ ନିରଞ୍ଜନ ଅପିଲ୍ କରି କହିଛନ୍ତି ଯେ କୃଷି ଆନ୍ଦୋଳନ ଏଯାବତ୍ ଅବ୍ୟାହତ ରହିଛି ଏବଂ ଏହା ଭିତରେ ଶହ ଶହ ଚାଷୀ ପ୍ରାଣ ହରାଇ ସାରିଲେଣି । ହେଲେ କେନ୍ଦ୍ର ସରକାରଙ୍କର ଏଥିପ୍ରତି ତିଳେ ମାତ୍ର ଭୃକ୍ଷେପ ନାହିଁ । କେନ୍ଦ୍ର ସରକାର ନିଦ କେବେ ଭାଙ୍ଗିବ ତାକୁ ହିଁ ଅପେକ୍ଷା ରହିଲା । ତେଣୁ ଜନସାଧାରଣ ତଥା କଂଗ୍ରେସର ପ୍ରତ୍ୟେକ କର୍ମୀ ଏହି ବନ୍ଦ ଡାକରାକୁ ସମର୍ଥନ କରନ୍ତୁ ।
ତେବେ ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ, ବଜାର ଓ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । କାଲିକୁ ୪ ମାସ ପୁରିବ ଯେଉଁଠି ୩ ଟି କୃଷି ଆଇନ୍ ବିଲ୍ ପ୍ରତ୍ୟାହାର ଦାବିରେ ଗତ ୪ ମାସ ଧରି କୃଷକମାନେ ଦିଲ୍ଲୀ ରାଜରାସ୍ତାରେ ଆନ୍ଦୋଳନ କରିଆସୁଛନ୍ତି ।