ସଂସ୍କାର : ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନଠାରୁ ଆରମ୍ଭ ହୋଇଗଲାଣି ବିଭିନ୍ନ ରାଜନୈତିକ ଦଳମାନଙ୍କର ଅଙ୍କ କଷାକଷି। ସମସ୍ତ ବିରୋଧୀ ଦଳ , ଶାସକ ଦଳ ବିଜେପିକୁ ଦେଶର ରାଜଗାଦିରୁ ହଟାଇବା ପାଇଁ ଯୋଜନା ଆରମ୍ଭ କରିସାରିଲେଣି। ସାଙ୍ଗଠନିକ କ୍ଷେତ୍ରରେ ବଡ଼ ପରିବର୍ତନ ଆଣିବା ଲକ୍ଷ୍ୟରେ ଲାଗିପଡ଼ିଛନ୍ତି ବିରୋଧୀ ଦଳ ସମୂହ। ତେବେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଯଥାକ୍ରମେ ୨୦୧୪ ଏବଂ ୨୦୧୯ ମସିହାର ଲୋକସଭା ନିର୍ବାଚନ ଜିତିଛି। ଆଉ ଆଗମୀ ୨୦୨୪ ମସିହାର ନିର୍ବାଚନ ମଧ୍ୟ ଜିତିବ , ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। କାରଣ ମୋଦି ସରକାର ଏଭଳି ଅନେକ କାମ କରିଛନ୍ତି ଯାହାଦ୍ୱାରା ଅନେକ ଗରିବ ଓ ମଧ୍ୟମ ଶ୍ରେଣୀ ଲୋକଙ୍କର ବହୁତ ଉପକାର ହୋଇଛି। ତେଣୁ ଅନେକ ଜନସାଧାରଣ ମୋଦିଙ୍କୁ ପୁଣି ଥରେ ନିର୍ବାଚିତ କରିବା ପାଇଁ ଯୋଜନା କରୁଛନ୍ତି।

ଅନ୍ୟପଟେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ଦୁଇ ଦୁଇଟି ନିର୍ବାଚନ ଜିତିସାରିଛି। ତେବେ ତୃତୀୟ ଥର ପାଇଁ ଯେଭଳି ବିଜେପି ଜିତିବ ନାହିଁ, ସେଭଳି ଯୋଜନା କରୁଛନ୍ତି ବିପକ୍ଷଦଳମାନେ। ବିଜେପିକୁ ରୋକିବା ପାଇଁ ଅଣ୍ଟା ଭିଡ଼ି ଆଗକୁ ଆସିଛନ୍ତି ବିରୋଧୀ ଦଳ ସମୂହ । ମୋଦିଙ୍କୁ ଟକ୍କର ଦେବାକୁ ଅନେକ ନେତା ଆଗକୁ ଆସୁଥିଲେ ହେଁ, ପ୍ରକୃତରେ ଦୁଇ ତିନୋଟି ବଡ଼ ନେତାଙ୍କ ଚେହେରା ସମସ୍ତଙ୍କର ନଜରରେ ରହିଛି। ରାହୁଲ ଗାନ୍ଧୀ, ଶରଦ ପାୱାର ଓ ମମତା ବାନାର୍ଜୀ ଏହି ତିନି ଜଣଙ୍କ ମଧ୍ୟରୁ ଯେକେହି ହେଲେ ଜଣେ ମୋଦିଙ୍କ ବିରୋଧୀ ମହାମେଣ୍ଟର ନେତୃତ୍ୱ ନେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି।
ତେବେ ପରିସ୍ଥିତିକୁ ସମୀକ୍ଷା କଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ୨୦୨୪ରେ ମୋଦିଙ୍କୁ ପରାଜିତ କରାଇବା ବିପକ୍ଷ ଗୋଷ୍ଠୀଙ୍କ ପାଇଁ ସ୍ୱପ୍ନ ପାଲଟିଯିବ । ଦେଶର ସର୍ବପୁରାତନ ଦଳ କଂଗ୍ରେସ ବର୍ତମାନ ନିଜର ସ୍ଥିତି ହରାଇଥିବାରୁ ବିଜେପି ପାଇଁ ଏହା ସୁବର୍ଣ୍ଣ ସମୟ ଆଣିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି କ୍ରମରେ ବିରୋଧୀମାନେ ମୋଦିଙ୍କୁ ରୋକିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସେମାନଙ୍କ ମଧ୍ୟରେ ଅନ୍ତକନ୍ଦଳ ରହିଛି। ଅନ୍ୟପଟେ କଂଗ୍ରେସ ଦଳ ଯେତେ ତଳକୁ ଗଲେ ମଧ୍ୟ ଦଳ ନୂଆ ଚେହେରାକୁ କେବେ ବି ସମର୍ଥନ କରିବ ନାହିଁ, ଫଳରେ ମୋଦିଙ୍କ ପାଇଁ ଏହା ସୁଫଳ ଆଣିବା ସହ ବିରୋଧୀ ମହାମେଣ୍ଟ ପାଇଁ ଅଶୁଭ ହେବ ।
ବିମୁଦ୍ରିକରଣ, କରୋନା, ସର୍ଜିକାଲ ଷ୍ଟ୍ରାଇକ, ଆତଙ୍କବାଦୀ ହମଲା ଆଦି ପ୍ରସଙ୍ଗରେ କଂଗ୍ରେସ , ବିଜେପି ସରକାରଙ୍କର ଦୋଷଦୁର୍ବଳତାକୁ ଜନସାଧାରଣଙ୍କ ନିକଟରେ ପହଂଚାଇବାରେ ବିଫଳ ହୋଇଛି । ଦେଶରେ କୌଣସି ଆତଙ୍କବାଦୀ ଆକ୍ରମଣ ହେଲେ କଂଗ୍ରେସ ଏପରି ଯୁକ୍ତି କରିଥାଏ, ଲାଗେ ସତେ ଯେମିତି ଏହି ଦଳ ଦେଶଦ୍ରୋହୀ କାର୍ଯ୍ୟ କରୁଛି । ବିରୋଧ କରିବାର ବିଭିନ୍ନ କୌଶଳ କଂଗ୍ରେସ ଆପଣାଇବାରେ ବିଫଳ ହେଉଥିବାରୁ ଜନତାଙ୍କ ନିକଟତର ହୋଇପାରୁନାହିଁ । ଯେଉଁ କେତୋଟି ରାଜ୍ୟରେ କଂଗ୍ରେସ କ୍ଷମତାରେ ରହିଥିଲା, ସେଗୁଡ଼ିକ ଧୀରେଧୀରେ ଭାଜପା ଦଖଲ କରିନେଲାଣି ।
ତେଣୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ, ବିଜେପି ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଜିତିବା ସୁନିଶ୍ଚିତ। ତେବେ ଦେଖାଯାଉ ସମୟ ଓ ଭାଗ୍ୟ କାହାର ସାଥ୍ ଦେଉଛି।