ପାକିସ୍ତାନରୁ ଆସିଛି ଏକ ବିଡମ୍ବନା ଭରା ସମ୍ବାଦ ଯେଉଁଥିରେ ଜଣେ ସାମ୍ବାଦିକ ଉପରେ ହୋଇଛି ଆକ୍ରମଣ । ଅତ୍ୟାଚାର ଏବଂ ଅମାନବୀୟ କାର୍ଯ୍ୟକଳାପର ଶିକାର ହୋଇଥିବା ଜଣେ ସାମ୍ବାଦିକ ବଡ଼ ଅଭିଯୋଗ ଆଣିଛନ୍ତି ଇମ୍ରାନ ଖାନ୍ଙ୍କ ଦଳ (ତହେରିକ୍-ଇ-ଇନ୍ସାଫ୍) ବିରୋଧରେ । ସାମ୍ବାଦିକଙ୍କ କହିବା କଥା ଯେ ତାଙ୍କୁ ଉଲଗ୍ନ କରି ସେମାନେ ନିର୍ଧୁମ ପିଟିଥିଲେ ଏବଂ ତାର ଏକ ଭିଡ଼ିଓ ମଧ୍ୟ କରିଥିଲେ ।
ମିଳିଥିବା ସୂଚନା ଅନୁସାରେ ସାମ୍ୱାଦିକ ଜଣକ ପାକିସ୍ତାନ ଚରସଦା ପ୍ରେସ୍ କ୍ଲବ୍ର ଜଣେ ସଦସ୍ୟ । ସୈଫୁଲ୍ଲା ଜାନ୍ ନାମକ ଏହି ପୀଡ଼ିତ ସାମ୍ବାଦିକ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପିଟିଆଇର ନେତା ଅବଦୁଲ୍ଲା, ତାଙ୍କ ଭାଇ ଫାହିମ୍, ଜାକତ କମିଟି ଚେୟାର୍ମ୍ୟାନ୍ ଇଫ୍ତିକାର ଏବଂ ସେନାର କିଛି ଲୋକ ମିଶି ତାଙ୍କୁ ଅପହରଣ କରିଥିଲେ । ଅପହରଣ କରି ତାଙ୍କୁ ଚାରସଦାର ପିଟିଆଇ ଅଫିସ୍କୁ ନେଇଥିଲେ ଯେଉଁଠି ତାଙ୍କୁ ଉଲଗ୍ନ କରି ପିଟିଥିଲେ ।

ସୈଫୁଲ୍ଲା ଆହୁରି ମଧ୍ୟ କହିଛନ୍ତି ଯେ ଏହି ରାଜନେତା ଅପହରଣ କରି କେବଳ ପିଟି ନଥିଲେ ବରଂ ମୋତେ ଉଲଗ୍ନ କରି ପିଟିବା ସମୟର ଏକ ଭିଡ଼ିଓ ମଧ୍ୟ ବନେଇଥିଲେ । ଭିଡ଼ିଓ ଭାଇରାଲ ହେବା ପରେ ଓ ଲୋକଙ୍କ ଚାପ ପଡ଼ିବାରୁ ସେମାନେ ମୋତେ ସେଠାରୁ ମୁକ୍ତ କରିଥିଲେ । ତେବେ ଏ ଘଟଣା ସମ୍ପର୍କରେ ସେ ଜିଲ୍ଲା ପୋଲିସ ଅଫିସର ମହମ୍ମଦ ସୋଇବ୍ଙ୍କୁ ଜଣାଇବା ସହିତ ସର୍ଦାରି ଥାନାରେ ଆଇନ୍ ଅନୁସାରେ ଏକ ମାମଲା ଦାଏର ମଧ୍ୟ କରିଥିଲେ ।
ଅନ୍ୟପକ୍ଷରେ ପୋଲିସ ତାଙ୍କୁ ସହଯୋଗ କରି ନଥିଲା । କେବଳ ତଦନ୍ତରେ ବିଳମ୍ୱ ନୁହେଁ ବରଂ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ଧାରା ଲଗାଇ ନଥିଲେ । ଗୋଡ଼ ଭାଙ୍ଗିବା ସହିତ ପୀଡ଼ିତଙ୍କ ଶରୀରରେ ଅନେକ ସ୍ଥାନରେ ଗଭୀର କ୍ଷତ ହୋଇଥିବା ସତ୍ତ୍ୱେ ପୋଲିସ FIR ରେ ତାଙ୍କର ସାମାନ୍ୟ କ୍ଷତି ଦର୍ଶାଇଛନ୍ତି । ଅଭିଯୋଗ ଅନୁସାରେ ୫ ଜଣଙ୍କ ବିରୋଧରେ ମାମଲା ପଞ୍ଜୀକୃତ ହୋଇଥିଲା, ମାତ୍ର ସେଥିମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଇଫ୍ତିଖାର୍ ନାମକୁ ହଟାଇ ଦେଇଥିଲା ପୋଲିସ ।
ସୂଚନାଥାଉ ଯେ ଏହି ମାମଲାରେ ଦେଶର ପ୍ରଧାନ ବିଚାରପତି ହସ୍ତକ୍ଷେପ କରିବାକୁ ପୀଡ଼ିତ ସାମ୍ବାଦିକ ନିବେଦନ କରିବା ପରେ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେପଟେ ପୁଣି ସ୍ଥାନୀୟ କୋର୍ଟ ଅଭିଯୁକ୍ତମାନଙ୍କୁ ଜାମିନ ଦେଇଥିବା ଜଣାପଡ଼ିଛି ।