ଗଞ୍ଜାମରେ କରୋନା ସଂକ୍ରମଣ ବଢୁଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବର୍ତ୍ତମାନ ସୁଦ୍ଧା ଗଞ୍ଜାମକୁ ୩୦,୦୦୦ରୁ ଅଧିକ ପ୍ରବାସୀ ଶ୍ରମିକ ଫେରିଥିବାବେଳେ ଆଗକୁ ଆହୁରି ଫେରିବେ । କିନ୍ତୁ ସରକାରଙ୍କ ତରଫରୁ ଫେରନ୍ତା ପ୍ରବାସୀଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇନାହିଁ । ତୁରନ୍ତ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉ ବୋଲି ଅନୁରୋଧ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।
ନିରଞ୍ଜନ ପଟ୍ଟନାୟକ ଟ୍ଵିଟ କରି ସରକାରଙ୍କୁ ନିବେଦନ କରି କହିଛନ୍ତି ଯେ କେବଳ ୩ ଜଣ ଆଇଏଏସ ପଠେଇଦେଲେ ହେବ ନାହିଁ, ବରଂ ଅନ୍ୟାନ୍ୟ ସହଯୋଗୀ କାର୍ଯ୍ୟକ୍ରମମାନ ଗଞ୍ଜାମରେ ଆରମ୍ଭ କରିବାର ଅଛି । ନିଜ ବିବୃତ୍ତିରେ ସେ ଏକଥା ବି କହିଛନ୍ତି ଯେ ଗତକାଲି ବାଚସ୍ପତି ମହାଶୟ ବି କହୁଥିଲେ ଯେ କରେଣ୍ଟିନ କେନ୍ଦ୍ର ସବୁ ଗାଁ ମଝିରେ ହୋଇଛି ଓ ଲୋକେ ରାତିରେ ସେଠାରେ ନରହି ଘରକୁ ପଳାଉଛନ୍ତି ।
ସେ ବାରମ୍ବାର ସରକାରଙ୍କୁ ଆକ୍ଷେପ କରି କହୁଛନ୍ତି ଯେ ଏବେ ବି ସମୟ ଅଛି, ସେଠାକାର ବିଭିନ୍ନ ରାଜନୈତିକ ଲୋକ, ସାମାଜିକ ସେବାକାରୀ ଅନୁଷ୍ଠାନଗୁଡିକୁ ନେଇ ଏକ ମନୋବଳ ସୃଷ୍ଟି କରାଯାଉ । କେବଳ ଗଞ୍ଜାମରେ କାହିଁକି ଏହା ପ୍ରତି ଜିଲ୍ଲାରେ ହେବା ଉଚିତ । ଏତେ ସଂଖ୍ୟକ ପ୍ରବାସୀ ଯେତେବେଳେ ଗଞ୍ଜାମ ଫେରୁଛନ୍ତି ସେଠାରେ ମାତ୍ର ୨୦୦ ଶଯ୍ୟା ଦ୍ଵାରା କିପରି ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବ ବୋଲି ସେ ପ୍ରଶ୍ନ ରଖିଛନ୍ତି । ଯେଉଁ ଜାଗାରେ ଆବଶ୍ୟକ ସେଠାରେ କୋଭିଡ଼-ହସ୍ପିଟାଲ ତିଆରି ହେଇନି ଯାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାର କୌଣସି ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।