ମୌସୁମୀ ପ୍ରଭାବରେ ନେପାଳରେ ଜାରି ରହିଛି ଲଗାଣ ବର୍ଷା । ଏହି ଲଗାଣ ବର୍ଷା ପାଇଁ ନଈ ଫୁଲି ଜଳ ସ୍ତର ବଢ଼ି ଚାଲିଛି । ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ଭୂସ୍ଖଳନ ହେଉଛି । ବନ୍ୟା ତଥା ଏହି ପ୍ରବଳ ଓ ଲଗାଣ ବର୍ଷା ଯୋଗୁ ୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଲୋକ ନିଖୋଜ । ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ସହିତ ନିଖୋଜ ଲୋକଙ୍କୁ ଖୋଜା ମଧ୍ୟ ଚାଲିଛି ।
ଗତକାଲି ଗୁରୁବାର ଦିନ ପୋଲିସ ଦେଇଥିବା ସୂଚନା ଅନୁଯାୟୀ ପୂର୍ବରୁ ମଧ୍ୟ ନେପାଳର ସିନ୍ଧୁପାଲଚୌକ୍ ଜିଲ୍ଲାରେ ବନ୍ୟା ହେଇଥିଲା ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ୧୮ ଜଣ ନିଖୋଜ ଥିଲେ । ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ନେପାଳ ଓ ଚୀନ ଭିତରେ ତତୋପାନି-ୱାଙ୍ଗମୁ ସୀମା ବିନ୍ଦୁକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହୋଇଯାଇଛି ।
![](https://sanskarnetwork.in/odia/wp-content/uploads/2020/07/middle-image-nepal-flood.jpg)
ବାରହାବିସେ ପୌରସଂସ୍ଥାରେ ପ୍ରବାହିତ ୧୧ଟି ଘର ଭାସି ଯାଇଛି, ଫଳରେ ୩ ଜଣ ଆହତ ହେବା ସାଙ୍ଗରେ ୧୪ ଜଣ ନିଖୋଜ ବୋଲି ସିନ୍ଧୁପାଲଚୌକ୍ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟର ମୁଖ୍ୟ ଜିଲ୍ଲା ଅଧିକାରୀ ଉମେଶ କୁମାର ଢକାଲ ସୂଚନା ଦେଇଛନ୍ତି । ସେହିପରି ଭୋଟେକୋଶୀ ପୌରସଂସ୍ଥାର ୨ଟି ଘର ପ୍ରବାହିତ ହେଇଥିବାବେଳେ ୨ ଜଣ ଆହତ ଓ ୪ ଜଣ ନିଖୋଜ ହେଇଯାଇଛନ୍ତି ।
ନେପାଳର ରାଜଧାନୀ କାଠମାଣ୍ଡୁକୁ ନେପାଳ-ଚୀନ ସୀମା ବିନ୍ଦୁକୁ ସଂଯୋଗ କରୁଥିବା ଆରାନିକୋ ରାଜପଥ ମଧ୍ୟ ଅତିକମରେ ୭ଟି ସ୍ଥାନରେ କ୍ଷତିଗ୍ରସ୍ତ ହୋଇଛି ଏବଂ ଏହା ଚୀନ ସହିତ ନେପାଳର ବାଣିଜ୍ୟ ଉପରେ ପ୍ରଭାବ ପକାଇବ ବୋଲି ମୁଖ୍ୟ ଜିଲ୍ଲା ଅଧିକାରୀ ଉମେଶ କହିଛନ୍ତି ।