ରାଜସ୍ଥାନର ବାନ୍ସୱାଡ଼ା ଜିଲ୍ଲାରୁ ଆସିଛି ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା । ୨୫ ବର୍ଷ ବୟସ୍କା ମହିଳା ଶିକ୍ଷକ ସ୍କୁଟି ଚଲାଇ ସ୍କୁଲ ଯାଉଥିଲେ, ହଠାତ୍ ତାଙ୍କ ଉପରେ ଛିଣ୍ଡି ପଡ଼ିଲା ୧୧ କେଭି ବିଦ୍ୟୁତ ତାର । ଉଚ୍ଚ ବିଦ୍ୟୁତ ପ୍ରବାହିତ ତାର ଲାଗିବା ଯୋଗୁଁ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି ।
ବନସ୍ୱାରା ଜିଲ୍ଲାର ନୋଗାମା ଅଞ୍ଚଳରେ ଘଟିଛି ଏହି ଛାତିଥରା ଦୁର୍ଘଟଣା । ଯେଉଁମାନେ ଆଖିରେ ଆଗରେ ଘଟଣାଟି ଘଟିଥିବା ଦେଖିଛନ୍ତି ସେମାନେ କେଇ କ୍ଷଣ ପାଇଁ ସ୍ତବ୍ଧ ହୋଇଯାଇଥିଲେ । ଆଖି ପିଛୁଳାକେ ହଠାତ୍ ଗୋଟାଏ ବଡ଼ ଆବାଜ ସହିତ ସିଧାସଳଖ ବିଦ୍ୟୁତ ତାର ଛିଣ୍ଡି ପଡ଼ିଲା ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କ ଉପରେ । ଏହାପରେ ୧୧ କେଭିର ଉଚ୍ଚ ବିଦ୍ୟୁତ ଆଘାତରେ ଜିଅନ୍ତା ଜଳିଗଲେ ମହିଳା ଓ ଘଟଣାସ୍ଥଳରେ ହିଁ ଟଙ୍କାର ମୃତ୍ୟୁ ହେଲା ।
ଗଣେଶପୁରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥିବା ମହିଳା ଜଣକ ସ୍କୁଲକୁ ଯାଉଥିଲେ । ସକାଳ ପ୍ରାୟ ୧୦ ଟା ବେଳେ ହଠାତ୍ ପ୍ରବଳ ଝଡ଼ ଓ ଅଦିନିଆ ହାଲୁକା ବର୍ଷା ଯୋଗୁ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା ତାଙ୍କ ଉପରେ । ଯାହା ପରେ ମହିଳାଙ୍କ ଶରୀର ଦୀର୍ଘ ସମୟ ଧରି ତାଙ୍କ ସ୍କୁଟି ସହିତ ଜଳୁଥିଲା ଏବଂ ଦେଖଣାହାରୀ ନିରୁପାୟ ହେଇ ଖାଲି ଦେଖୁଥିଲେ ।

ଘଟଣାସ୍ଥଳରେ ଉପସ୍ଥିତ ଲୋକେ ବିଜୁଳି ବିଭାଗକୁ ଖବର ଦେଇଥିଲେ ହେଁ ପ୍ରାୟ ୨୦ ମିନିଟ ପରେ ଯାଇ ଲାଇନ୍ ସପ୍ଲାଇ ବନ୍ଦ କରାଯାଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ବିରକ୍ତି ପ୍ରକାଶ ମଧ୍ୟ କରିଥିଲେ । ଲୋକଙ୍କ କହିବା କଥା ଯେ ବିଜୁଳି ବିଭାଗର ଅବହେଳା ପାଇଁ ୬ ମାସ ପୂର୍ବରୁ ମଧ୍ୟ ଏମିତି ବିଦ୍ୟୁତ ତାର ଛିଣ୍ଡି ଦୁଇ ପଶୁଙ୍କର ମୃତ୍ୟୁ ହୋଇଥିଲା ।
ତେବେ ଘଟଣା ସ୍ଥଳରେ ପ୍ରଶାସନ ପହଞ୍ଚି ମହିଳାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲା ବେଳେ ପୋଷ୍ଟମର୍ଟମ ପାଇଁ ଶବ ପଠାଇଥିଲେ । ସୂଚନାଥାଉ ଯେ ମୃତକ ମହିଳା ବାଗିଦୋରାରେ ରହୁଥିଲେ ଏବଂ ସେ ପ୍ରାଇମେରୀ ସ୍କୁଲ୍ରେ ଶିକ୍ଷୟିତ୍ରୀ ଥିଲେ । ଚଳିତ ବର୍ଷ ମାର୍ଚ୍ଚ ମାସରେ ତାଙ୍କ ଚାକିରିକୁ ୨ ବର୍ଷ ପୁରିଥିଲା । ତାଙ୍କ ସ୍ଵାମୀ ଉଦୟପୁରରେ ଚାକିରି କରୁଥିଲେ ଏବଂ ତାଙ୍କର ୫ ବର୍ଷର ପୁଅଟିଏ ଥିଲା ।