ଘଟିଯାଇଛି ଏକ ବଡ଼ ଦୁର୍ଘଟଣା । ତେଲେଙ୍ଗାନାର ସୂର୍ଯ୍ୟପେଟରେ ଆୟୋଜିତ ୪୭ତମ ଜୁନିୟର ଜାତୀୟ କବାଡ଼ି ଚାମ୍ପିୟନଶିପ୍ର ଗୋଟିଏ ବଡ଼ ଷ୍ଟାଣ୍ଡ ଭୁଶୁଡ଼ି ପଡ଼ିଛି । ଫଳରେ ଶତାଧିକ ଲୋକ ଚାପି ହୋଇଯାଇଛନ୍ତି ସେହି ଷ୍ଟାଣ୍ଡ ତଳେ । ତେବେ ତୁରନ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଘଟଣାଟି ଗତକାଲି ଘଟିଛି । ଖବର ପାଇ ଉଦ୍ଧାରକାରୀ ଦଳ ଏବଂ ପୋଲିସ ପ୍ରଶାସନ ଯାଇ ପହଞ୍ଚିଥିଲା ଘଟଣାସ୍ଥଳରେ । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ହାଇଦ୍ରାବାଦ ପଠାଇ ଦିଆଯାଇଛି ।
ସୂର୍ଯ୍ୟପେଟ ଜିଲ୍ଲାର କବାଡ଼ି ଆସୋସିଏସନ ଏବଂ ତେଲେଙ୍ଗାନା କବାଡ଼ି ଆସୋସିଏସନର ମିଳିତ ଏହି କାର୍ଯ୍ୟକ୍ରମର ଉଦଘାଟନ ମାର୍ଚ୍ଚ ୨୨ ରେ ହୋଇଥିବା ବେଳେ ମାର୍ଚ୍ଚ ୨୫ ତାରିଖ ଯାଏଁ ଏସପି ଅଫିସ୍ ପଡ଼ିଆରେ ଚାଲୁ ରହିଥାନ୍ତା । ତେବେ ଉଦଘାଟନ ଦିନ ହିଁ ଏଭଳି ଦୁର୍ଘଟଣା ଘଟିଥିଲା ମାତ୍ର କାର୍ଯ୍ୟକ୍ରମକୁ ଅଟକା ଯିବ କି ନା ସେନେଇ କୌଣସି ସୂଚନା ନାହିଁ ।
ସୂଚନାଥାଉ ଯେ ମୋଟ ୨୯ଟି ରାଜ୍ୟରୁ ୧୫୦୦ରୁ ଅଧିକ ଅଂଶଗ୍ରହଣକାରୀ ଏହି କବାଡ଼ି ଚାମ୍ପିୟନଶିପ୍ରେ ଅଂଶଗ୍ରହଣ କରିଛନ୍ତି ।