ସମାଜ ପାଇଁ ସୃଷ୍ଟି କଲେ ବିରାଟ ଉଦାହରଣ : ବିବାହର ମାତ୍ର ୮ ଘଣ୍ଟା ପୂର୍ବରୁ କନ୍ୟାର ଭାଙ୍ଗିଲା ମେରୁଦଣ୍ଡ, ଆଉ ତାପରେ ବର କଲେ ଏମିତି କାମ …

ଉତ୍ତର ପ୍ରଦେଶର ପ୍ରତାପଗଡ଼ର କୁଣ୍ଡା ଅଞ୍ଚଳରୁ ଆସିଛି ବଡ଼ ଖୁସି ଖବର । ସେଠାରେ ରହୁଥିବା ମହିଳା ଆରତୀ ମୋର୍ଯ୍ୟାଙ୍କ ବିବାହ ପାଖ ଗାଁର ଅବଧେଶଙ୍କ ସହିତ ଧାର୍ଯ୍ୟ ହୋଇଥିଲା । ଡିସେମ୍ବର ୮ ତାରିଖ ଦିନ ବରଯାତ୍ରୀ ନେଇ ଅବଧେଶ ବାହାରିଥାଆନ୍ତେ ଆରତୀଙ୍କ ଘରକୁ । ଉଭୟଙ୍କ ବିବାହ ପାଇଁ ଉଭୟଙ୍କ ଘରେ ପ୍ରସ୍ତୁତି ଚାଲିଥିଲାବେଳେ ମଧ୍ୟାହ୍ନ ପ୍ରାୟ ୧ ଟା ବେଳେ ଘଟିଗଲା ଏକ ଅଘଟଣ ଯେଉଁଥିରେ ଗୋଟିଏ ଛୋଟ ଶିଶୁକୁ ବଞ୍ଚାଇବାକୁ ଯାଇ ଆରତୀଙ୍କ ପାଦ ଖସି ଯାଇଥିଲା । ଆରତୀ ଛାତ ତଳକୁ ଖସି ପଡିଥିଲେ ଏବଂ ତାଙ୍କ ମେରୁଦଣ୍ଡ ହାଡ଼ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯିବା ସହିତ ପାଦ ଏବଂ ଶରୀରର ଅନ୍ୟନ୍ୟ ସ୍ଥାନରେ ବି ଆଘାତ ଲାଗିଥିଲା ।

ଏହି ଦୁର୍ଘଟଣା ପରେ ଆରତୀଙ୍କୁ ପ୍ରୟାଗରାଜରେ ଥିବା ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ହେଲେ ଡାକ୍ତର ଚିକିତ୍ସା କରିବା ଅସମ୍ଭବ ବୋଲି ନାସ୍ତି ବାଣୀ ଶୁଣାଇଦେଲେ । ଏହାପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିଲେ । ହେଲେ ଫିଲ୍ମ ଭଳି ଘଟିଲା ବାସ୍ତବ ଜୀବନରେ । ବିବାହ ଏକ ପବିତ୍ର ସମ୍ପର୍କ ଏବଂ ଦେଇଥିବା ପ୍ରତିଶୃତିକୁ ରକ୍ଷା କରି ବର ଅବଧେଶ ଆରତୀଙ୍କୁ ସ୍ଵୀକାର କରିଛନ୍ତି ।

କେବଳ ସେତିକି ନୁହେଁ, ସାରା ସମାଜ ପାଇଁ ଅବଧେଶ ପାଲଟିଛନ୍ତି ଏକ ବିରାଟ ଉଦାହରଣ । ବିବାହ ପାଇଁ ଧାର୍ଯ୍ୟ କରାଯାଇଥିବା ଦିନରେ ହିଁ ସେ ଆରତୀକୁ ବିବାହ କରିଥିଲେ । ହସ୍ପିଟାଲ ବେଡରେ ଅକ୍ସିଜେନ୍ ସର୍ପୋଟରେ ଆରତୀଙ୍କର ଚିକିତ୍ସା ଚାଲିଥିଲେ ମଧ୍ୟ ଠିକ୍ ହୋଇଥିବା ଦିନ ଏବଂ ସମୟ ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଅବଧେଶଙ୍କ ଜିଦ୍ ପରେ ଡାକ୍ତରୀ ଟିମଙ୍କ ଅନୁମତି ନେଇ ପୀଡ଼ିତ କନ୍ୟା ଆରତୀଙ୍କୁ ଦୁଇ ଘଣ୍ଟା ପରେ ଆମ୍ବୁଲାନ୍ସରେ ଘରକୁ ଅଣାଯାଇଥିଲା ଏବଂ ତାଙ୍କୁ ଷ୍ଟ୍ରେଚରରେ ଶୁଆଇ ବିଧିବଦ୍ଧ ଭାବରେ ବିବାହ କରାଯାଇଥିଲା । ଅକ୍ସଜେନ୍ ଓ ସାଲାଇନ୍ ଲଗାହୋଇଥିଲେ ମଧ୍ୟ ଆରତୀଙ୍କୁ ବିବାହ କରିଥିଲେ ଅବଧେଶ ।

ସବୁ ଝିଅ ବିଦା ହେଲାପରି ଆରତୀ ମଧ୍ୟ ବାପଘରୁ ବିବାହ ପରେ ବିଦା ହେଇଥିଲେ । ମାତ୍ର ତାହା ସିଧାସଳଖ ଶାଶୁଘର ନୁହେଁ, ବରଂ ହସ୍ପିଟାଲକୁ । କାରଣ ପରଦିନ ହେବାକୁ ଥିବା ଆରତୀଙ୍କ ଅସ୍ତ୍ରୋପଚାର ଫର୍ମରେ ଅବଧେଶ ନିଜେ ଆରତୀଙ୍କ ସ୍ଵାମୀ ରୂପେ ଦସ୍ତଖତ କରିଥିଲେ । ବଲିଉଡ଼ର ସୁପର୍ ହିଟ୍ ଫିଲ୍ମ ‘ବିବାହ’ର ଶାହିଦ କପୁର ସାଜିଲେ ଅବଧେଶ ଏବଂ ରିଲ୍ ଲାଇଫ୍ ନୁହେଁ ରିଏଲ୍ ଲାଇଫରେ ସୃଷ୍ଟି କଲେ ବିରାଟ ଏକ ଉଦାହରଣ ।

Leave a Reply

Your email address will not be published. Required fields are marked *