ସଂସ୍କାର : ମହାମାରୀ କରୋନା ଭାଇରସ୍ ଦେଶରେ ନିଜର ପ୍ରଭାବ ବିସ୍ତାର କରିସାରିଛି। ପ୍ରଥମ ଲହର ଓ ଦ୍ଵିତୀୟ ଲହରର ପ୍ରଭାବ ନ ସରୁଣୁ ବର୍ତ୍ତମାନ ତୃତୀୟ ଲହରକୁ ନେଇ ଚିନ୍ତା ବଢିଯାଇଛି। ବିଶେଷଜ୍ଞ କହିବା ଅନୁଯାୟୀ, ବିଗତ ଏପ୍ରିଲ ଓ ମେ ମାସରେ କରୋନା ଭାଇରସ୍ ନିଜର ଦ୍ୱିତୀୟ ଲହରର ସ୍ଥାୟୀ ଛାପ ଦେଶରେ ଛାଡି ଯାଇଥିଲା। ଏହି ସମୟରେ ଦେଶରେ ଭାଇରସ୍ ର ପ୍ରଭାବ ଶୀର୍ଷରେ ରହିଥିଲା। ତେବେ ବର୍ତ୍ତମାନ ତୃତୀୟ ଲହରକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି। ତେବେ ଆସନ୍ତୁ ଜାଣିବା କେବେ ଦେଶରେ ଆସିବ କରୋନାର ତୃତୀୟ ଲହର ?
କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ଅକ୍ଟୋବର ମାସ ପ୍ରାରମ୍ଭକୁ କରୋନା ତୃତୀୟ ଲହର ଆସିବ ବୋଲି ସତର୍କ ସୂଚନା ଦେଇଛନ୍ତି। ଅନେକ ବିଶେଷଜ୍ଞ କହିଛନ୍ତି ଯେ , କରୋନାର ତୃତୀୟ ଲହର ଅକ୍ଟୋବର ମାସରେ ଆସିବ ଏବଂ ଏହା ନଭେମ୍ବର ମାସରେ ପିକଅପ ନେବ ବୋଲି ଆକଳନ କରାଯାଇଛି। କରୋନା ଦ୍ୱିତୀୟ ଲହରକୁ ଏହାର ଡେଲ୍ଟା ଭାରିଏଣ୍ଟ ଉଗ୍ର କରିଦେଇଥିଲା। ଏହା ଅଧିକ ସଂକ୍ରମଣ କ୍ଷମତା ସବୁଠୁ ଅଧିକ ଥିଲା। ଫଳରେ ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା।
ତେବେ ଭାରତରେ ଭୂତାଣୁର ଡେଲ୍ଟା ପ୍ରକାର ଧିରେ ଧିରେ ପ୍ରସମିତ ହେଉଥିବା ବେଳେ ଇସ୍ରାଏଲ ଓ ଆମେରିକା ଭଳି ଦେଶମାନେ ଏବେବି ସଂକ୍ରମଣ ବିରୋଧରେ ସଂଘର୍ଷ ଜାରି ରଖିଛନ୍ତି। ତେବେ ବିଶେଷଜ୍ଞଙ୍କ କହିବା କଥା ଏହି ପ୍ରକାର ଭୂତାଣୁର ପରବର୍ତ୍ତି ଉତପରିବର୍ତ୍ତନ ଦେଶରେ ତୃତୀୟ ଲହର ଆଣିପାରେ। ଦେଶରେ କରୋନା ଭାଇରସ ମହାମାରୀ ପୂର୍ବାନୁମାନ କରୁଥିବା ୩ ସଦସୀୟ ବିଶେଷଜ୍ଞ ଟିମ୍ର ସଦସ୍ୟ ତଥା ଆଇଆଇଟି କାନପୁରର ବୈଜ୍ଞାନିକ ମନିନ୍ଦ୍ର ଅଗ୍ରୱାଲ ଯିଏ ସଂକ୍ରମଣରେ କୌଣସି ପ୍ରକାର ବୃଦ୍ଧିର ଭବିଷ୍ୟବାଣୀ କରନ୍ତି ତାଙ୍କ ଅନୁସାରେ ଭାରତ ହୁଏତ ଅକ୍ଟୋବର ଶେଷ ଓ ନଭେମ୍ବର ମଧ୍ୟରେ କରୋନାର ତୃତୀୟ ଲହର ଦେଖିପାରେ।
ଦେଶରେ ଜାରିଥିବା ସଂକ୍ରମଣରେ ଯଦି ନୂଆ ମ୍ୟୁଟାଣ୍ଟ ଭୂତାଣୁର ଆବିର୍ଭାବ ହୁଏ ତେବେ ସେପ୍ଟେମ୍ବର ଶେଷ ବେଳକୁ ଦେଶରେ ହୁଏତ ପୁଣି ସଂକ୍ରମଣ ବୃଦ୍ଧି ହୋଇପାରେ। ଯଦି ଏପରି କିଛି ନ ହୁଏ ତେବେ ସଂକ୍ରମଣ ଜନିତ ପରିସ୍ଥିତିରେ ସେଭଳି କୌଣସି ପରିବର୍ତ୍ତନ ହୋଇ ନପାରେ ବୋଲି ସେ କହିଛନ୍ତି। ସେପଟେ କେନ୍ଦ୍ର ଗୃହମନ୍ତ୍ରାଳୟ ଏକ ସଂସ୍ଥାନଙ୍କ ଆକଳନ ଅନୁସାରେ ହୁଏତ ଦେଶରେ ସେପ୍ଟେମ୍ବର ଓ ଅକ୍ଟୋବର ମଧ୍ୟରେ କେବେବି ତୃତୀୟ ଲହର ଆସିପାରେ ବୋଲି ସତର୍କ କରାଇଛନ୍ତି।