ଗତ ୪-୫ ବର୍ଷ ହେବ ଜଣେ ୧୨ ବର୍ଷର କିଶୋରୀ ପେଟରେ ପ୍ରବଳ ଯନ୍ତ୍ରଣାର ସାମ୍ନା କରୁଥିଲେ । ଏହି ଯନ୍ତ୍ରଣା ସହିତ ବାଳିକାଙ୍କ ପେଟ ଆକାର ବି କ୍ରମେ ବଢିବାକୁ ଲାଗିଥିଲା । ଏମିତିକି ତାଙ୍କୁ ଶ୍ଵାସକ୍ରିୟାରେ ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ତେବେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଏକ ଡାକ୍ତରୀ ଦଳ ଉକ୍ତ କିଶୋରୀର ପରୀକ୍ଷା କଲାପରେ ଅସ୍ତ୍ରୋପଚାର କରି ବାହାର କରିଛନ୍ତି ଦୁଇଟି ଫୁଟବଲ ଆକୃତିର ଟ୍ୟୁମର ।
ମିଳିଥିବା ସୂଚନା ଅନୁସାରେ ଉକ୍ତ ନାବାଳିକାର ଚିକିତ୍ସା କରିଥିବା ‘ସାର ଗଙ୍ଗାରାମ’ ହସ୍ପିଟାଲର ଡାକ୍ତର ତରୁଣ ମିତ୍ତଲ କହିଛନ୍ତି ଯେ ଯେତେବେଳେ ନାବାଳିକା ଜଣକ ଚିକିତ୍ସା ପାଇଁ ଆସିଥିଲେ ତାଙ୍କ ପେଟର ଆକୃତି ଖୁବ୍ ବଢି ଯାଇଥିଲା ଏବଂ ଅଙ୍କାବଙ୍କା ବି ଥିଲା । କ୍ଲିନିକାଲ ପରୀକ୍ଷା ବେଳେ ଜାଣିବାକୁ ମିଳିଥିଲା ଯେମିତି ପେଟ ଭିତରେ କିଛି ଭର୍ତ୍ତି ହୋଇଛି । ଆମେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲୁ । ସିଟି ସ୍କାନ ପରେ ଜଣାପଡ଼ିଲା ଯେ ପେଟରେ ଏକ ବଡ଼ ଟ୍ୟୁମର ଅଛି ଯାହାର ଆକାର ୩୦ x ୨୦ x ୧୪ ସେଣ୍ଟିମିଟର । ଏହା ଦେଖିବାକୁ ଦୁଇଟି ଫୁଟବଲ ପରି ଥିଲା ।

ଲେପ୍ରୋସ୍କୋପିକ ଆଣ୍ଡ ବେରିଏଟ୍ରିକ ସର୍ଜିକଲ ଡାକ୍ତର ତରୁଣ ମିତ୍ତଲ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଅସ୍ତ୍ରୋପଚାର ପୂର୍ବରୁ ନାବାଳିକାର ବାପମା’ ଙ୍କୁ ଏନେଇ ଜଣେଇ ଥିଲୁ ଏବଂ ସର୍ଜରୀ ନିହାତି ଆବଶ୍ୟକ ବୋଲି କହିଥିଲୁ । ସେମାନଙ୍କ ସମ୍ମତି ଏବଂ ସମସ୍ତ ପ୍ରକାର ଚିକିତ୍ସା ପରେ ନାବାଳିକା ପେଟର ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳ କରିଥିବାରେ ସାମିଲ ହୋଇଥିଲେ ଡାକ୍ତର ଆଶିଷ ଦେ ଓ ଡାକ୍ତର ଅନମୋଲ ଆହୁଜା । ସେହିପରି ଏନେସ୍ତେସିକ୍ ଟିମରେ ଡାକ୍ତର ଜୟଶ୍ରୀ ସୁଦ ଓ ଡାକ୍ତର ଅଜୟ ସିରୋହି ସାମିଲ ଥିଲେ ।