ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଉତ୍ତରପ୍ରଦେଶର ଭାଜପା ବିଧାୟକ ସୁରେନ୍ଦ୍ର ସିଂ ଜୀନାଙ୍କ ଦେହାନ୍ତ ହୋଇଯାଇଛି । ଉକ୍ତ ବିଧାୟକ କରୋନା ସଂକ୍ରମିତ ଥିଲେ । ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସୁରେନ୍ଦ୍ର ସିଂ ଜୀନା ଆଲମୋଡ୍ଡା ଜିଲ୍ଲାର ସଲ୍ଟ ନିର୍ବାଚନମଣ୍ଡଳୀର ଜଣେ ବିଧାୟକ ଥିଲେ । କିଛି ଦିନ ପୂର୍ବରୁ ହୃଦଘାତରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲାବେଳେ ଏବେ ପୁଣି ସୁରେନ୍ଦ୍ରଙ୍କ ବିୟୋଗ ସଲ୍ଟ ଭିକିଆସେଣର ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଛି । ସୁରେନ୍ଦ୍ର ସିଂ ବହୁତ ଲୋକପ୍ରିୟ ନେତା ଥିଲେ ଓ କ୍ରମାଗତ ତୃତୀୟ ଥର ପାଇଁ ବିଧାୟକ ହୋଇଥିଲେ ।
ସଲ୍ଟରୁ ଭାଜପା ବିଧାୟକ ସୁରେନ୍ଦ୍ର ସିଂ ଜୀନାଙ୍କ ବିୟୋଗରେ ଭାଜପା ପ୍ରଦେଶ ଅଧକ୍ଷ ବଂଶୀଧର ଭଗତ ଗଭୀର ଶୋକ ପ୍ରକାଶ କରିଛନ୍ତି । ଭଗତ କହିଛନ୍ତି ଯେ ସୁରେନ୍ଦ୍ର ସିଂ ଆମର ଯୁବ, ଉର୍ଜାବାନ ତଥା ଦକ୍ଷ କର୍ମୀ ଏବଂ ବିଧାୟକ ଥିଲେ । ସେ ସର୍ବଦା ସଂଗଠନ ଏବଂ ଜନସାଧାରଣଙ୍କ ସ୍ୱାର୍ଥରେ ସକ୍ରିୟ ଥିଲେ । ଜଣେ ଭଦ୍ର ବ୍ୟକ୍ତି ଓ ପ୍ରତ୍ୟେକ ବର୍ଗରେ ମଧ୍ୟ ସେ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ତାଙ୍କ ମୃତ୍ୟୁ ଦଳ ତଥା ସମାଜ ପାଇଁ ଅପୂରଣୀୟ କ୍ଷତି ।
ଅଧକ୍ଷ ଭଗତ ଆହୁରି ବି କହିଛନ୍ତି ଯେ ଈଶ୍ବର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କ ପରିବାରକୁ ଏ ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରନ୍ତୁ । ନିକଟରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲାବେଳେ ଏବେ ତାଙ୍କର ମୃତ୍ୟୁ ତାଙ୍କ ପରିବାର ପାଇଁ ଅବିସ୍ମରଣୀୟ ଦୁଃଖ ଆଣି ଦେଇଛି । ଭଗବାନ ଏହି ପରିବାରକୁ ଦ୍ୱିଗୁଣ ଯନ୍ତ୍ରଣା ସହିବାକୁ ଶକ୍ତି ଦିଅନ୍ତୁ ।